ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକରେ ଦିନକୁ ଦିନ ଅରାଜକତା ବଢ଼ିବାରେ ଲାଗିଛି। ଯାହା ଫଳରେ ଠିକା କାମରେ ସମ୍ପୃକ୍ତ ଥିବା ରାଜନେତାମାନେ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏପରି ଘଟଣା ଦୈନନ୍ଦିନ ଘଟୁଥିବାରୁ ବ୍ଲକ୍ କର୍ମଚାରୀମାନେ ଆଜି ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି।
ସୂଚନା ଅନୁସାରେ ବୁଧବାର ଦିନ ଦେଓଗାଁ ବ୍ଲକର ଏକ ରାଜନୈତିକ ଦଳର ଜଣେ ବରିଷ୍ଠ ନେତା କାର୍ଯ୍ୟାଳୟ ଭିତରକୁ ପଶି ବଡ ବାବୁଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ଦେଓଗାଁ ପୁଲିସକୁ ମଧ୍ୟ ଖବର ଦିଆଯାଇଥିଲା। କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିିଁ। ଫଳରେ ଅପରାହ୍ଣରେ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ପରେ କଲମ ଛାଡ ଆନ୍ଦୋଳନରେ କର୍ମଚାରୀମାନେ ବସିଥିଲେ। ଏହି ଆନ୍ଦୋଳନରେ ଦେଓଗାଁ ବିଡ଼ିଓଙ୍କ ସହ ସରକାରୀ କର୍ମଚାରୀମାନେ ସାମିଲ ହୋଇଛନ୍ତି।
ଏନେଇ ଦେଓଗାଁ ବିଡ଼ିଓ ରୁଦ୍ର ପ୍ରସାଦ ସୁନାଙ୍କୁ ପଚାରିବାରୁ ଗତକାଲି ଜଣେ ବ୍ୟକ୍ତି ଆସି ଅଫିସ ଭିତରେ ଗାଳିଗୁଲଜ କରିଥିଲେ ଏନେଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିିଁ। ଅଭିଯୁକ୍ତଙ୍କୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି।