ହାଜତ ଭିତରେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ, ପୁଲିସକୁ ଦାୟୀ କଲେ ପରିବାର ଲୋକେ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ଆଜି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ହାଜତ ଭିତରେ ଜଣେ ଅଭିଯୁକ୍ତର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି। ଏନେଇ ଅଭିଯୁକ୍ତ ଯୁବକର ପରିବାର ଲୋକେ ପୁଲିସକୁ ଦାୟୀ କରିଛନ୍ତି। ମୃତକଙ୍କ ନାମ ତାରିକ ସଲିମ୍ ଓ ତାଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡ଼ିଛି।

ଗତ କିଛି ଦିନ ପୂର୍ବରୁ ଯୁବକ ଜଣଙ୍କୁ ବୀରମିତ୍ରପୁର ପୁଲିସ ଗିରଫ କରି ହାଜତରେ ରଖିଥିଲା। କିନ୍ତୁ ଆଜି ସକାଳୁ ହଠାତ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ବରୀମିତ୍ରପୁର ପୁଲିସ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏହାପରେ ପରିବାର ଲୋକ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରିବାରୁ ପୁଲିସଠୁ ସନ୍ତୋଷ ଜନକ ଉତ୍ତର ପାଇନଥିଲେ।ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ହାଜତରେ ହିଁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକ ପୁଲିସ ଉପରେ ଅଭିଯୋଗ ଆଣିଥିବା ବେଳେ ବୀରମିତ୍ରପୁର ପୁଲିସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ପୁଲିସର କହିବା ଅନୁଯାୟୀ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗରୁତର ହେବାରୁ ତାଙ୍କୁ ଆରଜିଏଚ୍ ଡାକ୍ତଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ବୀରମିତ୍ରପୁର ପୁଲିସ ଏସପି ସୂଚନା ଦେଇଛନ୍ତି।

ତେବେ ଘଟଣାସ୍ଥଳରେ ସୁନ୍ଦରଗଡ ଏସପି ସାଗରିକା ନାଥଙ୍କ ସମେତ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବା ସହିତ ଏହାର ସମାଧାନ ପାଇଁ ଉଭୟ ପକ୍ଷ ସହିତ ଆଲୋଚନା କରୁଥିବା ସୂଚନା ମିଳିଛି।