ତାତିଲେ ଗ୍ରାମବାସୀ : ପୁଲିସକୁ ମାଡ଼, ଭଙ୍ଗାରୁଜା

ହତ୍ୟାକାରୀକୁ ଗିରଫ ଦାବିରେ ଧାରଣା , ପୁଲିସ - ଗ୍ରାମବାସୀ ମୁହାଁମୁହିଁ

ବରଗଡ଼,ଏନ୍ଏନ୍ଏସ୍: ଏକ ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଗିରଫ ଦାବିକରି ଭେଡେନ ଥାନା ସମ୍ମୁଖରେ ଧାରଣା ଚାଲିଥିବା ବେଳେ ଗ୍ରାମବାସୀ ଓ ପୁଲିସଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଗାଡି ଭଙ୍ଗାରୁଜା କରିବା ସହ ପୁଲିସକୁ ମାଡ଼ ମାରିଥିବା ଜଣାପଡିଛି। କିଛି ପୁଲିସ କର୍ମୀ ଆହତ ହୋଇଛନ୍ତି।

ସୂଚନା ଯୋଗ୍ୟ, ଗତ ଜୁଲାଇ ୧୮ ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗ୍ରାମର ଲିଙ୍ଗରାଜ ନାଏକଙ୍କ ପୁଅ ଗିରିଧାରୀ ଓରଫ ଜିତୁ ନାଏକଙ୍କ ମୃତଦେହ ଖଲାରେ ଉଦ୍ଧାର ହୋଇଥିଲା । ଜିତୁଙ୍କ ବାପା ଲିଙ୍ଗରାଜ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଭେଡେନ ପୁଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ହତ୍ୟାକାରୀକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ । ଅପରପକ୍ଷେ ପୁଲିସ ତଦନ୍ତରେ ଅବହେଳା କରୁଥିବା ଏବଂ ହତ୍ୟାକାରୀକୁ ଗିରଫ କରୁ ନ ଥିବା ଅଭିଯୋଗ କରି ମଙ୍ଗଳବାର ଜିତୁଙ୍କ ପରିବାର ଏବଂ ଗ୍ରାମବାସୀ ଭେଡେନ ଥାନାରେ ଧାରଣା ଦେବାସହ ଅନଶନରେ ବସିଥିଲେ ।

ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ଗ୍ରାମବାସୀ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ଢ଼େଲା ମାଡ କରିଥିଲେ । ପୁଲିସ ମଧ୍ୟ ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ଘଉଡାଇବାକୁ ଯାଇ ଲାଠି ଚାର୍ଜ କରିଥିବା ସୂଚନା ମିଳିଛି । ଏଥିରେ କିଛି ପୁଲିସ କର୍ମୀଙ୍କ ସହ ଜନସାଧାରଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଭେଡେନ ଥାନା ସମ୍ମୁଖରେ ଉତ୍ତେଜନା ଲାଗି ରହିଥିବା ସହ ପୁଲିସ ଫୋର୍ସ ମୁତୟନ ରହିଛନ୍ତି ।