ଝାରସୁଗୁଡ଼ା/କର୍ମିରା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅର୍ଡା ପଞ୍ଚାୟତର ଅଲଟ୍ରାଟେକ ଛକରୁ ଆଇଓସିଏଲ ପର୍ଯ୍ୟନ୍ତ ଖରାପ ହୋଇଥିବା ରାସ୍ତାକୁ ଶୀଘ୍ର ମରାମତି ପାଇଁ ଜିଲ୍ଲା ବିଜେପି ଦାବି କରିଛି। ଆଜି ଜିଲ୍ଲା ବିଜେପି ପକ୍ଷରୁ ଅଲଟ୍ରାଟେକ ଛକରେ ରାସ୍ତାରୋକ କରାଯାଇ ୩ ଦିନ ମଧ୍ୟରେ ରାସ୍ତା ମରାମତି କରାନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ, ଅଲଟ୍ରାଟେକ ଛକରୁ ଆଇଓସିଲ ଛକ ପର୍ଯ୍ୟନ୍ତ ରାସ୍ତା ବହୁ ଦିନରୁ ଶୋଚନୀୟ ହୋଇ ପଡିରହିଛି। ଏହି ଶୋଚନୀୟ ରାସ୍ତାରେ ଅଲଟ୍ରାଟେକ କମ୍ପାନୀର ଶହଶହ ଭାରିଯାନ ଚଳାଚଳ କରୁଥିବାରୁ ଏହା ଏବେ ସାଧାରଣଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଫଳରେ ଦିନକୁ ଦିନ ଏଠାରେ ଦୁର୍ଘଟଣା ବୃଦ୍ଧି ପାଉଛି। ବାରମ୍ବାର ଦାବି ସତ୍ୱେ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଜିଲ୍ଲା ବିଜେପି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛି ବୋଲି ବରିଷ୍ଠ ସଦସ୍ୟ ଦିନେଶ ଜୈନ କହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳକୁ କିର୍ମିରା ତହସିଲଦାର ମୁକୁଟମଣି ଖେସ, ଲଇକେରା ଥାନାଧିକାରୀ ପ୍ରବୀର କିଶୋର ତ୍ରିପାଠୀ, ବାଗଡିହି ଫାଣ୍ଡି ଅଧିକାରୀ ସରୋଜ ନାଏକ, ରେଳବିଭାଗୀୟ ଆଇଆଇସି ରାକେଶ ମୋହନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଅଲ୍ଟ୍ରାଟେକ କାରଖାନା ଏଚଆର ମୁଖ୍ୟ ଆଶିଷ ପାଳ, ମୁଖ୍ୟ ସୁରକ୍ଷାଅଧିକାରୀ ସୁଶାନ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତରେ ଆଲୋଚନା କରିଥିଲେ।
ଏହାପରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଦିନେଶ ଜୈନ ଆଲୋଚନା କରି ଆସନ୍ତା ତିନିଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିବାପରେ ରାସ୍ତାରୋକ ହଟିଥିଲା। ଏହି ଆନ୍ଦୋଳନରେ ଦୀନେଶ ଜୈନ, ଲଳିତ ମଗର, ବିଜୟ ଶର୍ମା, ଦୀପକ ପଟେଲ ଅଲ୍ଟ୍ରାଟେକ କାରଖାନା କର୍ମଚାରୀ ସଂଘ ସଭାପତି ସନ୍ତୋଷ କୁମାର ବାଗ ସମେତ ବହୁ ବିଜେପି କର୍ମକର୍ତ୍ତା ସାମିଲ ହୋଇଥିଲେ।