ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ କୋସଲ ସେନା ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛି। ସଭାପତି ସୁଶାନ୍ତ ମିଶ୍ର ଏବଂ ଶୋଭନ କୁମାର କର୍ଣ୍ଣ ଅନଶନରେ ବସିଥିବା ବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ହୋଇଆସୁଥିବା ବେଳେ ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ହସ୍ପିଟାଲ ସ୍ଥାପନ ନେଇ ଘୋଷଣା କରିଥିଲେ । ଘୋଷଣାର ଦୀର୍ଘ ଦିନ ପରେ ମଧ୍ୟ ହସ୍ପିଟାଲ ପ୍ରତିଷ୍ଠା ଦିଗରେ ସରକାରଙ୍କ ଆନ୍ତରିକତା ନ ଥିବା କୋସଲ ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଯାହାକୁ ନେଇ ମଙ୍ଗଲବାରଠାରୁ କୋସଲ ସେନା ତରଫରୁ ଆମରଣ ଅନଶନ କରାଯାଇଥିବା ବେଳେ ଅନଶନରେ ବସିବା ପୂର୍ବରୁ କୋସଲ ସେନା ସମେତ ଜିଲ୍ଲାର ବିଭିନ୍ନ ସଂଗଠନର ସଦସ୍ୟମାନେ କ୍ୟାନ୍ସର ହସ୍ପିଟାଲ ଦାବି ନେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ବିରବଲ ମହାକୁର, ଅର୍ପଣ ନାୟକ , ଅଜିତ ପତି, ବିରେନ୍ଦ୍ର ବାଗ ଯାଦବ ସମେତ ବହୁ ସଦସ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।