କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ ୨୫୫ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଏଏସଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଏକ ଟିମ ସୋରଲୁକୋଣ୍ଡା-କାଲିମେଳା କେନାଲ ରାସ୍ତାର ବାଣ୍ଡିଗୁଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବାଣ୍ଡିଗୁଡା ଗ୍ରାମରୁ କିଛି ବ୍ୟକ୍ତି ଗଞ୍ଜେଇ ଭାରରେ ବୋହି ଆଣୁଥିବା ପୁଲିସ ଦେଖିଥିଲା। ପାଖାପାଖି ୬ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଭାର ଯୋଗେ ଗଞ୍ଜେଇ ଆଣୁଥିବା ବେଳେ ପୁଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ। ସେଥିମଧ୍ୟରୁ ୨ଜଣଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଗିରଫ ୨ ବ୍ୟକ୍ତି ହେଲେ କାଲିମେଳା ଥାନା ଅନ୍ତର୍ଗତ ସୋଡି ଗଙ୍ଗା, ସେ ଚିନ୍ତଲୱାଡା ପଞ୍ଚାୟତ ର ମଞ୍ଜିଗୁଡ଼ା ଗ୍ରାମର ଏବଂ ଅନ୍ୟ ଜଣେ ସୁଶାନ୍ତ ମଣ୍ଡଳ, ସେ ଗମ୍ପାକୋଣ୍ଡା ପଞ୍ଚାୟତ ର ଏମପିଭି-୭୩ ଗ୍ରାମର ବୋଲି ପୁଲିସ ସୂଚନା ଦେଇଛି।
ସେମାନଙ୍କ ଠାରୁ ୧୬ ଟି ବସ୍ତାରେ ୨୫୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ପୁଲିସ ଜବତ କରିଥିଲା। ଯାହାର ଅନୁମାନିକ ମୂଲ୍ୟ ୫ ଲକ୍ଷ ୧୦ ହଜାର ହେବ ବୋଲି ପୁଲିସ ସୂଚନା ଦେଇଛି। ସେମାନେ ଏହି ଗଞ୍ଜେଇ ଛତିଶଗଡ଼ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ଜୟପ୍ରକାଶ ନାରାୟଣ ହୋତା ସୂଚନା ଦେଇଛନ୍ତି। ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି।