ଝାରସୁଗୁଡା, ଏନ୍ଏନ୍ଏସ୍: ଝାରସୁଗୁଡା ଚୌକିପଡ଼ାସ୍ଥିତ ରେଳ ଓଭରବ୍ରିଜ କାମ ଖୁବଶୀଘ୍ର ଆରମ୍ଭ ହେବ। ଆଜି ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ, ରେଳ ବିଭାଗ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ରିଜ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଏବଂ ରେଳ ବିଭାଗ ପକ୍ଷରୁ ସରିଥିବା ସୂଚନା ଦିଆଯାଇଛି । ଏହି ପକଳ୍ପ ଯୋଗୁଁ ନିଜର ଜୀବିକା ଓ ବାସ ହରାଉଥିବା ଲୋକଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦୀର୍ଘ ୫୦ ବର୍ଷ ହେବ ଲୋକେ ଚୌକିପଡ଼ାଠାରେ ଓଭରବ୍ରିଜ ପାଇଁ ଦାବି କରି ଆସୁଥିଲେ ହେଁ ତାହା ତିଆରି ହୋଇପାରୁନଥିଲା । ଏହି ଦାବିକୁ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି। ସରକାର ଏଥିପାଇଁ ୬ କୋଟି ୬୨ ଲକ୍ଷ ୨୦ ହଜାର ୯ଶହ ୯୭ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।