କୋରାପୁଟ,ଏନ୍ଏନ୍ଏସ୍ : ପାଡୁଆ ଓ ମାଛକୁଣ୍ଡ ପୁଲିସ ଦ୍ୱାରା ପୃଥକ ଘଟଣାରେ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ ହେବା ସହ ଜଣକୁ ଗିରଫ କରାଯାଇଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ପାଡୁଆ ଥାନା ପୁଲିସ୍ ହାଣ୍ଡିପୁଟ ଛକ ଅଞ୍ଚଳରେ ଗୁରୁବାର ରାତିରେ ପଟ୍ରୋଲିଂ କରୁଥିବାବେଳେ ଏକ ଟ୍ରକରେ ପାଡୁଆ ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଖବର ଅନୁଯାୟୀ ସମସ୍ତ ଗାଡ଼ି ଯାଞ୍ଚ କରିବା ବେଳେ ଏକ ଟ୍ରକରୁ ୨୫୦ କିଲୋ ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାରେ ପୁଲିସ୍ ଟ୍ରକ ଚାଳକ ରାଉରକେଲାର ଶୀତଲନଗର ବାସିନ୍ଦା ଅଶ୍ୱିନୀ ମହନ୍ତକୁ ଗିରଫ କରିଛି। ସେହିପରି ମାଛକୁଣ୍ଡ ଥାନା ଓ ଲମତାପୁଟ ଫାଣ୍ଡି ପୁଲିସ୍ ତୁସୁବା ଓ ସଗର ମଝିରେ ଥିବା ବଡ଼ା ଘାଟିରେ ଏକ ମିନି ଟ୍ରକରୁ ୧୦୩୬ କିଲୋ ଗଞ୍ଜେଇ ଜବତ କରିଥିବାବେଳେ ଭ୍ୟାନର ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ୧କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେଠାରେ ଅଭିଯୁକ୍ତଦ୍ୱୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।