ଜିଲ୍ଲା କ୍ରୀଡ଼ା ସଙ୍ଘ କାର୍ଯ୍ୟାଳୟର ଶିଳାନ୍ୟାସ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଓ ବରଗଡ ସାଂସଦ ସୁରେଶ ପୂଜାରୀ ଆଜି ଜିଲ୍ଲା କ୍ରୀଡ଼ା ସଙ୍ଘର କାର୍ଯ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଆସନ୍ତା ଜିଲ୍ଲା ପାରିପାଶ୍ୱିର୍କ ଉନ୍ନୟନ ବୈଠକରେ ଜିଲ୍ଲାର ପ୍ରତିଭାବାନ ଖେଳାଳିମାନଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। କ୍ରୀଡ଼ାର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ। ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହିତ ଆଲୋଚନା କରି ନୂତନ ଷ୍ଟାଡିୟମରେ ଏକ ବଡ ଧରଣ କ୍ରୀଡା ପ୍ରତିଯୋଗିତା କରାଇବେ ବୋଲି ଶ୍ରୀ ଦାସ କହିଥିଲେ। ଝାରସୁଗୁଡ଼ା ଜିଲ୍ଲାକ୍ରୀଡ଼ା ସଂସ୍ଥାର ସଭାପତି ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ସଂସ୍ଥାର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ।
ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ୨ୟ ବ୍ୟାଟେଲିଆନର ଦୁର୍ଗପତି ମନୋଜ କୁମାର ପୁରୋହିତ, ଜିଲ୍ଲା କ୍ରୀଡ଼ା ସଂସ୍ଥାର ସମ୍ପାଦକ ତାପସରାୟ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ବିଜୟ ବେହେରା, ଉପସଭାପତି ଜୀବନ ମହାନ୍ତି, ସହ -ସମ୍ପାଦକ ପ୍ରର୍ଜ୍ଜଳ କୁମାର ପଟେଲ, ଉପସଭାପତି ବ୍ରିଜେଶ ଶର୍ମା ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।