ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଉତ୍ତରପ୍ରଦେଶର ଜଣେ ଗାଡ଼ି ମାଲିକଙ୍କୁ ଲକ୍ଷେ ଟଙ୍କା ବଟି ମାଗି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ ଓ ତାଙ୍କର ଜଣେ ସହଯୋଗୀ ଗିରଫ ହୋଇଛନ୍ତି। ଗିରଫ ସାମ୍ବାଦିକ ଜଣକ ଦୈନିକ ସର୍ବସାଧାରଣ ଖବରକାଗଜ ଓ ଏକ ପୋର୍ଟାଲ ସତ୍ୟମ ନ୍ୟୁଜର ରିପୋର୍ଟର ଭାବେ କାର୍ଯ୍ୟ କରୁଥିବା ଜୟକୃଷ୍ଣ ମହାପାତ୍ର(୭୦) ଓ ତାଙ୍କର ସହଯୋଗୀ ଜଣକ ଜାହାଜପଡ଼ାର ହୃଦାନନ୍ଦ ଭୋଇ (୪୮) ବୋଲି ପୁଲିସ ସୂଚନା ଦେଇଛି। ତେବେ ଏହି ଘଟଣାରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ଅନ୍ୟ ୨ଜଣ ଫେରାର ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଥିବାବେଳେ ଏଥିରେ ପରୋକ୍ଷ ଭାବରେ ଆଉ କେହି ସମ୍ପୃକ୍ତ ରହିଛନ୍ତି କି ସେ ଦିଗରେ ତଦନ୍ତ କରୁଛି ।
ପ୍ରକାଶଯୋଗ୍ୟ, ଉତ୍ତରପ୍ରଦେଶର ପୁଷ୍ପଲତା ଗୁପ୍ତାଙ୍କ ବ୍ରଜରାଜନଗରରେ ଥିବା ୪ଟି ଟ୍ରକ ଓ ଗୋଟିଏ ସ୍କୋର୍ପିଓକୁ ତାଙ୍କ ଭିଣେଇ ଅନିଲ ଗୁପ୍ତା ନେବା ପାଇଁ ବ୍ରଜରାଜନଗର ଆସିଥିଲେ। ସେଠାରେ ବେଲପାହାଡ଼ ଅଞ୍ଚଳର ସାମ୍ବାଦିକ ଜୟକୃଷ୍ଣ ମହାପାତ୍ର ତାଙ୍କ ସହ ପରିଚିତ ହୋଇ ଥାନାରୁ ଗାଡ଼ି ଆଣିବାରେ ସହଯୋଗ କରି ଅନିଲକୁ ଗୋମାଡ଼େରାସ୍ଥିତ ଏକ ହୋଟେଲରେ ରଖି ଜୟକୃଷ୍ଣ, ହୃଦାନନ୍ଦ ଓ ତାଙ୍କର କିଛି ସହଯୋଗୀଙ୍କୁ ୧ଲକ୍ଷ ଟଙ୍କା ବଟି ମାଗିଥିଲେ। ଏଥିରେ ଅନିଲ ଅରାଜି ହେବାରୁ ସେମାନେ ତାଙ୍କର ୨ଟି ଟ୍ରକ ଜବରଦସ୍ତ ନେଇଯିବା ସହ ତାଙ୍କୁୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଅନିଲ ଭୟରେ ଉତ୍ତରପ୍ରଦେଶ ଫେରି ଯାଇଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ବାରମ୍ବାର ଫୋନ କରି ଟଙ୍କା ମାଗିଥିଲେ। ଏନେଇ ଗତ ୧୭ ତାରିଖ ଅନିଲ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନିଲଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ଜୟକୃଷ୍ଣକୁ ଜୁଜୁମୁରା ଓ ହୃଦାନନ୍ଦକୁ ସୁନ୍ଦରଗଡ଼ରୁ କାବୁ କରିଥିଲା। ପରେ ବେଲପାହାଡ଼ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରିଥିଲା।