୪୧ ଲକ୍ଷର ସୁନା ଗହଣା ଲୁଟ୍ ଘଟଣା : ୬ ଗିରଫ

ବରଗଡ଼,ଏନ୍ଏନ୍ଏସ୍: ସୋହେଲା ଥାନା ଗ୍ରୀଞ୍ଜେଲ ରାସ୍ତାରେ ଥିବା ସୁନାଗହଣା ବ୍ୟବସାୟୀଙ୍କ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସୋହେଲାର ରବି ବରିହା, ବଣ୍ଟି ଦାଶ , ରମେଶ ଗଡତିଆ, ନାରାୟଣ ବାଗ , କାର୍ତ୍ତିକ ଷଣ୍ଡ ଏବଂ ଖଇରାଟର ମହେନ୍ଦ୍ର ସାହୁ ବୋଲି ପୁଲିସ ସୂଚନା ଦେଇଛି । ସେମାନଙ୍କଠାରୁ ଲୁଟ ହୋଇଥିବା ୪୬୦ ଗ୍ରାମ ସୁନାଗହଣା , ନଗଦ ୫୦ ହଜାର ଟଙ୍କା ସହ ଗୋଟିଏ କାର ଜବତ ହୋଇଛି।

ସୂଚନା ଅନୁସାରେ, ଗତ ୬ ତାରିଖ ରାତିରେ ସୋହେଲା ଥାନା ଗ୍ରୀଞ୍ଜେଲ ରାସ୍ତାରେ ରାୟପୁରର ସୁନା ବ୍ୟବସାୟୀ ତଥା ଏସଏସ ଜୁଏଲାରୀର କର୍ମଚାରୀ ଅୱଧ ପତ୍ରୀଙ୍କ ଗାଡି ଅଟକାଇ କେତେକ ଦୁର୍ବୃତ୍ତ ତାଙ୍କୁ ଧମକ ଚମକ ଦେବା ସହ ପାଖରେ ଥିବା ୮୦୦ ଗ୍ରାମ ଓଜନର ସୁନାଗହଣା ଏବଂ ୧ ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ସୋହେଲା ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିବା ସହ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ୪୬୦ ଗ୍ରାମ ସୁନା ଗହଣା ଏବଂ ନଗଦ ୫୦ ହଜାର ଟଙ୍କା ସହ ସେମାନେ ବ୍ୟବହାର କରୁଥିବା ଜିପକୁ ଜବତ କରିଥିବା ସୋହେଲା ଥାନା ଅଧିକାରୀ ନିର୍ମଲ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଲୁଟ ହୋଇଥିବା ସୁନାର ମୂଲ୍ୟ ପାଖାପାଖି ୪୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଥିବା ବେଳେ  ପୁଲିସ ୨୩ ଲକ୍ଷ ଟଙ୍କାର ସୁନାଗହଣା ଜବତ ହୋଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ବାକି ତକ ସୁନା ଗହଣା ଉଦ୍ଧାର ନେଇ ସୋହେଲା ପୋଲିସ ତନାଘନା ଜାରି ରଖିଛି ।