କ୍ୟାନସର ପୀଡିତାଙ୍କୁ ଔଷଧ ଯୋଗାଇଲେ ବିଧାୟିକା

ବରଗଡ଼, ଏନ୍ଏନ୍ଏସ୍: ଅତାବିରା ବ୍ଲକ କୁଲୁଣ୍ଡା ଗ୍ରାମର କ୍ୟାନସର ପୀଡିତା ରତ୍ନାବତୀ ପ୍ରଧାନଙ୍କ ଚିକିତ୍ସା ପାଇଁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚତୁର୍ଥମାସ ପାଇଁ ଔଷଧ ପ୍ରଦାନ କରିଛନ୍ତି । ବିଧାୟିକା ଛୁରିଆ ନିଜେ କୁଲୁଣ୍ଡାସ୍ଥିତ ରତ୍ନାବତୀଙ୍କ ଘରକୁ ଯାଇ ଏହି ଔଷଧ ପ୍ରଦାନ କରିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଫୁସଫୁସ ଜନିତ କର୍କଟ ରୋଗରେ ପୀଡିତା ରତ୍ମାବତୀଙ୍କ ଚିକିତ୍ସା ପାଇଁ ପ୍ରତିମାସ ଏକଲକ୍ଷ ଟଙ୍କାର ଔଷଧ ଆବଶ୍ୟକ ଥିବା ବେଳେ ଅତାବିରା ବିଧାୟିକା ଏ ନେଇ ଖବରପାଇ ଚାରିମାସ ହେବ ଔଷଧ ପ୍ରଦାନ କରିଆସୁଛନ୍ତି ।

ସୂଚନା ଯୋଗ୍ୟ ଯେ କୁଲୁଣ୍ଡା ଗ୍ରାମର ଗିରିଧାରୀ ପ୍ରଧାନଙ୍କ ଝିଅ ରତ୍ନାବତୀଙ୍କ ୨୦୧୮ ମସିହାରେ ଫୁସଫୁସ ଜନିତ କର୍କଟ ରୋଗ ଚିହ୍ନଟ ହୋଇଥିଲା । ଯାହାକୁ ନେଇ ପରିବାରବର୍ଗ ସଂପୂର୍ଣ୍ଣ ଭାଙ୍ଗିପଡିଥିବା ସହ ଜିଲ୍ଳା ପ୍ରଶାସନ ତରଫରୁ ସହାୟତା ପାଇ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ତେବେ ମାସିକ ଏକଲକ୍ଷରୁ ଅଧିକ ଟଙ୍କାର ଔଷଧ ଖାଇବାକୁ ପଡିବ ବୋଲି ଡାକ୍ତରଙ୍କ ପରାମର୍ଶ ପରେ ପରିବାର ବର୍ଗ ଅସହାୟ ହୋଇପଡିଥିଲେ । ଏହି ଘଟଣା ଜାଣିବା ପରେ ଅତାବିରା ବିଧାୟିକା ଶ୍ରୀମତୀ ଛୁରିଆ ତାଙ୍କ ଘରକୁ ଯାଇ ପାଞ୍ଚ ମାସର ଚିକିତ୍ସା ଖର୍ଚ୍ଚ ବହନ କରିବା ନିମନ୍ତେ ପ୍ରତିଶ୍ରୁତି ଦେବା ସହ ପ୍ରତିମାସ ରତ୍ମାବତୀଙ୍କୁ ଔଷଧ ପ୍ରଦାନ କରୁଛନ୍ତି।