ପଦନ୍ନୋତି ତାଲିକା ରଦ୍ଦ ପାଇଁ ପ୍ରାଇମେରୀ ସ୍କୁଲ ବିଇଡି ଶିକ୍ଷକ ସଂଘର ଦାବି

କୋରାପୁଟ,ଏନ୍ଏନ୍ଏସ୍: ପଦନ୍ନୋତି ତାଲିକା ରଦ୍ଦ ପାଇଁ କୋରାପୁଟ ଜିଲ୍ଲା ବିଇଡି ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି। ପ୍ରୋଭିଜିନାଲ ପ୍ରମୋସନ୍ ୫ମ ବର୍ଗ(କ) ପ୍ରକାଶିତ ତାଲିକାକୁ ରଦ୍ଦ କରିବାକୁ ସଂଘ ଦାବି କରିଛି। ଶିକ୍ଷା ବିଭାଗର କ୍ଲାରିଫିକେସନ ଓ କ୍ୟାଡର ନିୟମ ଅନୁଯାୟୀ ପ୍ରଥମ ନିଯୁକ୍ତି କିମ୍ବା ସିଟି ବା ବିଇଡି ତାଲିମ ଶେଷ କରିଥିବା ସମୟରୁ ତାଲିକା ପ୍ରସ୍ତୁତ ହେବା ନିୟମ ଥିଲେ ମଧ୍ୟ ମେରିଟ କମ ସିନିୟରଟିକୁ ଅଣଦେଖା କରାଯାଇ ତ୍ରୁଟିପୂର୍ଣ୍ଣ ଭାବେ ପ୍ରଥମ ନିଯୁକ୍ତି ଦିନକୁ ମାପଦଣ୍ଡ ଭାବେ ନେଇ ପଦନ୍ନୋତି ଦିଆଯାଇଥିବା ସଂଘ ଅଭିଯୋଗ କରିଛି। ପ୍ରାଥମିକ ଶିକ୍ଷକ ସଂଘର ଚାପର ବଶବର୍ତ୍ତୀ ନହୋଇ ଆଇନ ଅନୁଯାୟୀ ଅନୁମୋଦନ ହୋଇଥିବା ପୂର୍ବ ତାଲିକାକୁ କାୟମ ରଖିବାକୁ ଜିଲ୍ଲା ବିଇଡି ପ୍ରାଥମିକ ସଂଘର ସଭାପତି ଧରଣୀଧର ରଣା ଦାବି କରିଛନ୍ତି। ୩ଦିନ ମଧ୍ୟରେ ନିଷ୍ପତ୍ତି ନ ନେଲେ ସେମାନେ ଆଇନର ଆଶ୍ରୟ ନେବେ ବୋଲି ସଂଘ ଚେତାବନୀ ଦେଇଛି। ସଂଘର ସମସ୍ତ କର୍ମକର୍ତ୍ତା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ମାଧ୍ୟମରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ସାଂଗଠନିକ ସମ୍ପାଦକ ରାଜେନ୍ଦ୍ର କୁମାର ରଥ, କିରଣ ମହାରଣା, ରିତାରାଣୀ ସାହୁ, ପ୍ରଦୀପ କୁମାର ପାତ୍ର ଓ ଅର୍ଜୁନ ପଣ୍ଡା ପ୍ରମୁଖ ଦାବିପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ।