ମାଲକାନଗିରି, ଏନ୍ଏନ୍ଏସ୍: ଗୁରୁପ୍ରିୟା ସେତୁ ନିର୍ମାଣ ପରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ବହୁ ଯୋଜନାରେ ପହଞ୍ଚିବାରେ ଲାଗିଛି। ବିଭିନ୍ନ ସମୟରେ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ମାଓବାଦୀଙ୍କୁ ନେଇ ଲୋକଙ୍କ ମନରେ ଭୟ ହ୍ରାସ ପାଇନାହିଁ। ଗତ କିଛିଦିନ ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଗତ ଅକ୍ଟୋବର ୨୦ ତାରିଖରେ ପୁଲିସ ସୂଚନା ଦାତା ସନ୍ଦେହରେ ଦାସ ଖେମୁଡୁଙ୍କୁ ମାଓବାଦୀମାନେ ହତ୍ୟା କରିବା ସହ ଦୁଇଜଣଙ୍କୁ ନିର୍ଧୁମ ମାଡ ମାରିବାପରେ ଗ୍ରାମବାସୀଙ୍କ ମଧ୍ୟରେ ଏବେ ବି ଭୟ ବାତାବରଣ ଦେଖାଦେଇଛି।
ତେଣୁ ଯୋଡାମ୍ବ ପଞ୍ଚାୟତର ଖଜୁରିଗୁଡା ସହ ଆଖପାଖ ଅଞ୍ଚଳରେ ରାତ୍ରି ସମୟରେ ଆଦିବାସୀମାନେ ପାରମ୍ପରିକ ଧନୁତୀର ଧରି ଗ୍ରାମ ଜଗୁଥିବା ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ଆମେ ଲାଲବାହିନୀକୁ ସମର୍ଥନ କରି ଆସିଥିଲୁ। ପୂର୍ବରୁ ବିକାଶ କଣ ଜାଣିନଥିଲୁ। କିନ୍ତୁ ଏବେ ବିକାଶ ଦେଖିବା ପରେ ଆମେ ବିକାଶକୁ ସମର୍ଥନ କରୁଥିବାରୁ ମାଓବାଦୀମାନେ ବିଭିନ୍ନ ଅଭିଯୋଗ କରି ନିର୍ଯାତନା ଦେବା ସହ ହତ୍ୟା କରୁଛନ୍ତି। ତେଣୁ ଯେକୌଣସି ଶତ୍ରୁ ଆମକୁ ଆକ୍ରମଣ କଲେ ଆମେ ଉଚିତ ଜବାବ ଦେବୁ ବୋଲି ପ୍ରକାଶ କରିଛନ୍ତି।