ରାସ୍ତା ଚଉଡା ପାଇଁ ନିଜ ଘର ସମ୍ମୁଖ ଭାଙ୍ଗିଲେ ଗ୍ରାମବାସୀ

ବରଗଡ଼, ଏନ୍ଏନ୍ଏସ୍: ଅଣଓସାରିଆ ଗ୍ରାମ୍ୟ ରାସ୍ତାକୁ ନେଇ ଯାତାୟାତ କରିବାରେ ଅସୁବିଧା ହେବାରୁ ନିଜ ଘର ସମ୍ମୁଖ ଭାଙ୍ଗି ରାସ୍ତା ଚଉଡା ପାଇଁ ଆଗଭର ହୋଇଛନ୍ତି ଗ୍ରାମବାସୀ । ଏପରି ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବଲାଙ୍ଗିର ଗ୍ରାମରେ। ବରଗଡ଼ ଜିଲ୍ଲାର ଏହି ଗାଁ ଛତିଶଗଡ଼ ସିମାନ୍ତରେ ଥିବା ବେଳେ ଏହାର ଜନସଂଖ୍ୟା ପାଖାପାଖି ୧୫ ଶହ ହେବ । ଗ୍ରାମର ଅଧିକାଂଶ ଲୋକେ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ। ତେବେ ଗାଁରେ ୩୦ ରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ଥିବାବେଳେ ଅଣଓସାରିଆ ରାସ୍ତା ଯୋଗୁଁ ଯାତାୟାତରେ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଉଥିଲେ ।

ବିଶେଷ କରି ଚାଷ କାର୍ଯ୍ୟ ସମୟରେ ଏବଂ ବିବାହ ଉତ୍ସବମାନଙ୍କରେ ରାସ୍ତାରେ ଯିବାପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯାହାକୁ ନେଇ କିଛି ଦିନ ପୂର୍ବରୁ ଗ୍ରାମରେ ଏକ ସଭାର ଆୟୋଜନ କରାଯିବାସହ ସର୍ବସମ୍ମତିକ୍ରମେ ରାସ୍ତାକୁ ବାହାରିଥିବା ନିଜ ନିଜର ଘର ବାରଣ୍ଡାକୁ ଭାଙ୍ଗି କିଛି କିଛି ଜାଗା ଗାଁ ରାସ୍ତାକୁ ପ୍ରଶସ୍ତିକରଣ ପାଇଁ ଦେବା ପାଇଁ ନିଷ୍ପତି ହୋଇଥିଲା । ସେହିକ୍ରମରେ ବର୍ତମାନ ଗ୍ରାମବାସୀ ନିଜ ନିଜ ଘର ସମ୍ମୁଖରେ ଥିବା ବାରଣ୍ଡା , ବାଡି କାନ୍ଥ ଆଦି ଭାଙ୍ଗିବା ସହ ଗାଁ ରାସ୍ତା ଚଉଡା କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହିକାର୍ଯ୍ୟ ପାଇଁ ସରପଞ୍ଚ ଉର୍ମିଲା କନ୍ଧ ବଲାଙ୍ଗୀର ଗ୍ରାମବାସୀଙ୍କୁ ପ୍ରଶଂସା କରିବା ସହ ଗାଁ ବିକାଶ ପାଇଁ ଏହା ଏକ ସ୍ମରଣୀୟ ପଦକ୍ଷେପ ବୋଲି କହିଛନ୍ତି ।