ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ସାନି ଏତଲା

ମୁମ୍ବାଇ, ଏଜେନ୍ସି: ମୁମ୍ବାଇ ପୁଲିସ ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ସକାଳେ ଗିରଫ କରିବା ପରେ ସଂଧ୍ୟାରେ ତାଙ୍କ ବିରୋଧରେ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ସାନି ଏତଲା ରୁଜୁ କରିଛି। ଅର୍ଣ୍ଣବଙ୍କୁ ଗିରଫ କରିବାକୁ ଆସିଥିବା ପୁଲିସ ଅଧିକାରୀଙ୍କୁ ସେ ବାଧା ଦେଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ପୁଲିିସ ପକ୍ଷରୁ କୁହାଯାଇଛି, ୨୦୧୮ରେ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନର ଅନ୍ଭୟ ନାୟକ ଏବଂ ତାଙ୍କ ମାଆ କୁମୁଦ ନାୟକଙ୍କୁ ମୃତ୍ୟୁଘଟଣାରେ ଅର୍ଣ୍ଣବଙ୍କ ହାତ ରହିଥିବା ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଛି। ଅନଭୟ ଏକ ସୁଇସାଇଡ୍ ନୋଟ୍ରେ ଅଭିଯୋଗ କରିଥିଲେ, ତାଙ୍କର ୫.୦୪ କୋଟି ଟଙ୍କାର ପାଉଣା ନମିଳିବାରୁ ସେ ତାଙ୍କ ମାଆ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ଏହି ସୁଇସାଇଡ୍ ନୋଟ୍ରେ ସେ ଅର୍ଣ୍ଣବଙ୍କ ସମେତ ଅନ୍ୟ ଦୁଇଟି ଫାର୍ମର ମାଲିକ ଫିରୋଜ ଶେଖ ଓ ନିତେଶ ସାରଦାଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ଉଲ୍ଲେଖଯୋଗ୍ୟ ଅର୍ଣ୍ଣବଙ୍କୁ ପୁଲିସ ଗିରଫ କରିବା ପରେ ମୁମ୍ବାଇର ଏକ କୋର୍ଟରେ ହାଜର କରିଥିଲା। ତାଙ୍କ ଓକିଲ ଦର୍ଶାଇଛନ୍ତି ଯେ, ଅର୍ଣ୍ଣବଙ୍କୁ ଗିରଫ କରିବାକୁ ଯାଇଥିବା ଦୁଇ ଜଣ ପୁଲିସ ଅଧିକାରୀ ତାଙ୍କୁ ମାଡ଼ ମାରିଛନ୍ତି।