ନୂଆଦିଲ୍ଲୀ, ଏଜେନ୍ସି: ଗୁରୁବାର ଏୟାର ଇଣ୍ଡିଆର ଦୁଇଟି ବିମାନକୁ ଲଣ୍ଡନରେ ଅବତରଣ କରାଇ ଦେବେ ନାହିଁ ବୋଲି ଖଲିସ୍ତାନୀ ସଙ୍ଗଠନରୁ ଧମକ ମିଳିବା ପରେ ଦିଲ୍ଲୀ ସ୍ଥିିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସତର୍କତା ଜାରି କରାଯାଇଛି। ଦିଲ୍ଲୀ ପୁଲିସ କହିଛି ଯେ ‘ଖଲିସ୍ତାନ କମାଣ୍ଡୋ ଫୋର୍ସ’ ନାମକ ଏକ ସଙ୍ଗଠନ ଏଭଳି ଧମକ ଦେଇଛି। ଏ ସଂକ୍ରାନ୍ତରେ ବିମାନ ବନ୍ଦରର ଡିସିପି ରାଜୀବ ରଞ୍ଜନ ଗଣମାଧ୍ୟମକୁ କହିଛନ୍ତି, ‘ଖଲିସ୍ତାନ କମାଣ୍ଡୋ ଫୋର୍ସ’ ସହ ସମ୍ପୃକ୍ତ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁ ଏକାଧିକ ଲୋକଙ୍କୁ ଫୋନ କରି କହିଛନ୍ତି ଯେ, ନଭେମ୍ବର ୫ ତାରିଖ ଦିନ ଏହି ସଙ୍ଗଠନ ଏୟାର ଇଣ୍ଡିଆର ଦୁଇଟି ବିମାନକୁ ଲଣ୍ଡନରେ ଅବତରଣ କରାଇ ଦେବନାହିଁ। ଏହି ସୂଚନା ଆଧାରରେ ଓ ଦିଲ୍ଲୀ ପୁଲିସ ସମେତ ବିମାନ ବନ୍ଦର କର୍ତ୍ତୃପକ୍ଷ, ଏୟାରଇଣ୍ଡିଆ ଏବଂ ବିମାନ ବନ୍ଦର ସୁରକ୍ଷାରେ ନିୟୋଜିତ ‘ସିଆଇଏସଏଫ’ଙ୍କୁ ସତର୍କ କରାଇ ଦିଆଯାଇଛି। ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ନୂଆଦିଲ୍ଲୀରେ ୧୯୮୪ ନଭେମ୍ବର ହୋଇଥିବା ଶିଖବିରୋଧୀ ଦଙ୍ଗାର ୩୬ତମ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଏଭଳି ଧମକ ମିଳିଛି।