ଆମେରିକା ରାଷ୍ଟ୍ରପତି ନିର୍ବାଚନ : ‘ପ୍ରଭାବିତ ହେବ ନାହିଁ ଭାରତ-ଆମେରିକା ସମ୍ପର୍କ’

ନୂଆଦିଲ୍ଲୀ, ଏଜେନ୍ସି: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହା ସ୍ପଷ୍ଟ କରିଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ସଚିବ ହର୍ଷ ଶ୍ରୀଙ୍ଗଲା କହିଛନ୍ତି, ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ ଯେ କେହି ବି ଜିତନ୍ତୁ ଦୁଇ ଦେଶ ସମ୍ପର୍କ ସେଭଳି ପ୍ରଭାବିତ ହେବନାହିଁ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କର ସ୍ୱାତନ୍ତ୍ର୍ୟ ରହିଛି। ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହ ମଧ୍ୟ ମୋଦୀଙ୍କର ସୁସମ୍ପର୍କ ଥିଲା। ଏହି ପରିପ୍ରେକ୍ଷୀରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ୍ ସ୍ପଷ୍ଟ କରିଦେଇଛନ୍ତି, ସେ ଭାରତ-ଆମେରିକା ରଣନୀତିକ ଭାଗିଦାରୀକୁ ବିଶେଷ ଗୁରୁତ୍ୱ ଦିଅନ୍ତି।
ଚତୁଃରାଷ୍ଟ୍ରୀୟ ସଙ୍ଗଠନ ‘କ୍ୱାଡ’ ସମ୍ପର୍କରେ ବୈଦେଶିକ ସଚିବ କହିଲେ, ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତକୁ ନେଇ ଗଠନ ହୋଇଥିବା ଏହି ସଙ୍ଗଠନ ଭାରତ- ପ୍ରଶାନ୍ତମହାସାଗରୀୟ କ୍ଷେତ୍ରକୁ ଅବାଧ ଓ ମୁକ୍ତ ରଖିବା ପାଇଁ ମିଳିତ ଭାବେ ଉଦ୍ୟମ କରୁଛନ୍ତି। ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍ର ପ୍ରଭାବ ବିସ୍ତାରକୁ ପ୍ରତିହତ କରିବା ପାଇଁ ଏହି ସଙ୍ଗଠନ ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି। ଲଦାଖ ସୀମାରେ ଚୀନ୍ ସହ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଶ୍ରୀଙ୍ଗଲା କହିଛନ୍ତି, ଚୀନ୍ ଏକତରଫା ଭାବେ ସୀମା ସ୍ଥିତି ପରିବର୍ତ୍ତନ କରିବାକୁ ଉଦ୍ୟମ କରିବାରୁ ତାକୁ ବାଧା ଦିଆଯାଇଛି। ଆମର ଆଞ୍ଚଳିକ ସଂହତି କିମ୍ବା ସାର୍ବଭୌମତ୍ୱ କ୍ଷେତ୍ରରେ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।