ବେଙ୍ଗାଲୁରୁ,ଏଜେନ୍ସି: ପବ୍ଲିକ୍ ଅଫେୟାର୍ ସେଣ୍ଟର(ପିଏଆଇ), ବେଙ୍ଗାଲୁରୁ ଦ୍ୱାରା ଶୁକ୍ରବାର ଜାରି କରାଯାଇଥିବା ପବ୍ଲିକ୍ ଆଫେୟାର୍ସ ତାଲିକାରେ ବଡ଼ ରାଜ୍ୟ ମଧ୍ୟରେ କେରଳ ସବୁଠାରୁ ସୁଶାସିତ ରାଜ୍ୟ ଭାବେ ତାଲିକାର ଶୀର୍ଷରେ ରହିଛି । ତେବେ ଉତ୍ତରପ୍ରଦେଶ ତାଲିକାର ନିମ୍ନରେ ରହିଛି । ସ୍ଥାୟୀ ବିକାଶ ସନ୍ଦର୍ଭରେ ଏକୀକୃତ ସୂଚକାଙ୍କ ଉପରେ ଏହି ବାର୍ଷିକ ରିପୋର୍ଟ ଆଧାରିତ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ଶାସନ ସନ୍ଦର୍ଭରେ ବଡ଼ ରାଜ୍ୟ ଶ୍ରେଣୀରେ ପ୍ରଥମ ୪ଟି ସ୍ଥାନରେ କେରଳ(୧.୩୮୮ ପିଏଆଇ ସୂଚକାଙ୍କ ଅଙ୍କ), ତାମିଲ୍ନାଡୁ(୦.୯୧୨), ଆନ୍ଧ୍ରପ୍ରଦେଶ(୦.୫୩୧) ଏବଂ କର୍ଣ୍ଣାଟକ(୦.୪୬୮) ରହିଛନ୍ତି । ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ଓଡ଼ିଶା ଏବଂ ବିହାର ତାଲିକାର ନିମ୍ନରେ ରହିଛନ୍ତି । ଏହି ତିନୋଟି ରାଜ୍ୟର ପିଏଆଇ ସୂଚକାଙ୍କ ଅଙ୍କ ନକରାତ୍ମକ ରହିଛି । ଉତ୍ତରପ୍ରଦେଶକୁ -୧.୪୬୧, ଓଡ଼ିଶାକୁ -୧.୨୦୧ ଏବଂ ବିହାରକୁ -୧.୧୫୮ ପିଏଆଇ ସୂଚକାଙ୍କ ଅଙ୍କ ମିଳିଛି ।
ସେହିପରି ଛୋଟ ରାଜ୍ୟମାନଙ୍କ ଶ୍ରେଣୀରେ ଗୋଆ ୧.୭୪୫ ପିଏଆଇ ସୂଚକାଙ୍କ ଅଙ୍କ ସହ ତାଲିକାର ଶୀର୍ଷରେ ରହିଛି । ଗୋଆ ପରେ ମେଘାଳୟ(୦.୭୯୭) ଏବଂ ହିମାଚଳପ୍ରଦେଶ(୦.୭୨୫) ରହିଛନ୍ତି । ଛୋଟ ରାଜ୍ୟମାନଙ୍କ ଶ୍ରେଣୀରେ ମଣିପୁର(-୦.୩୬୩) ଏବଂ ଉତ୍ତରାଖଣ୍ଡ(-୦.୨୭୭) ନିମ୍ନରେ ରହିଛନ୍ତି । ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ୧.୦୫ପିଏଆଇ ସୂଚକାଙ୍କ ଅଙ୍କ ସହ ଚଣ୍ଡୀଗଡ଼ ଦେଶରେ ଶୀର୍ଷରେ ରହିଛି । ଏହାପରେ ପଣ୍ଡିଚେରୀ(୦.୫୨), ଲାକ୍ଷାଦ୍ୱୀପ(୦.୦୦୩) ରହିଛନ୍ତି ।
ଦିଲ୍ଲୀ -୦.୨୮୯ ଏବଂ ଦାଦ୍ରାନଗର ହାବେଳି -୦.୬୯ ସୂଚକାଙ୍କ ସହ କେନ୍ଦ୍ରଶାସିତ ତାଲିକାର ନିମ୍ନରେ ରହିଛି । ପିଏସ୍ଆଇ-୨୦୨୦ ତାଲିକା ଦ୍ୱାରା ଦେଶ ମଧ୍ୟରେ ହେଉଥିବା ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ବିଷୟରେ ଆମକୁ ସୂଚନା ମିଳୁଥିବା ସଂଗଠନର ଅଧ୍ୟକ୍ଷ ତଥା ଇସ୍ରୋର ପୂର୍ବତନ ମୁଖ୍ୟ କେ କସ୍ତୁରୀରଂଗମ୍ କହିଛନ୍ତି ।