ବିଡେନ୍‌ଙ୍କ ପ୍ରମୁଖ ପରାମର୍ଶକାରୀଙ୍କ ମଧ୍ୟରେ ଦୁଇ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ପ୍ରମୁଖ ପରାମର୍ଶକାରୀଙ୍କ ମଧ୍ୟରେ ଦୁଇ ଜଣ ଭାରତ ବଂଶୋଦ୍ଭବ ରହିଛନ୍ତି । ସେମାନେ ବିଡେନଙ୍କୁ କରୋନା ସଂକ୍ରମଣ ସମସ୍ୟା ଠାରୁ ଆରମ୍ଭ କରି ଅର୍ଥନୈତିକ ସୁଧାର, ବୈଦେଶିକ ନୀତି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିିତ ବିଷୟରେ ପରାମର୍ଶ ଦେଉଥିବା ଆମେରିକୀୟ ମିଡିଆ ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି । କରୋନା ସଂକ୍ରମଣଜନିତ ସମସ୍ୟା ସହିତ ଦୁର୍ବଳ ଅର୍ଥନୀତି ବ୍ୟବସ୍ଥାକୁ ନେଇ ଆମେରିକୀୟ ନିର୍ବାଚନ ପ୍ରକ୍ରିୟା ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇପଡ଼ିଥିବା ବେଳେ ବିଭିନ୍ନ କ୍ଷେତ୍ରର ସମସ୍ୟା ଦିଗରେ କେଉଁ ଦଳର ଆଭିମୁଖ୍ୟ କିଭଳି ରହିଛି ତାହା ଭୋଟରମାନଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନ୍ ଦଳ ପକ୍ଷରୁ ଏହିସବୁ ଦିଗକୁ ଗୁରୁତ୍ୱ ଦିଆଯାଇ ବିଶେଷଜ୍ଞମାନଙ୍କୁ ପରାମର୍ଶକାରୀ ଭାବେ ନିଯୁକ୍ତ କରାଯାଇଛି ।

ଏହିକ୍ରମରେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଦ୍ୱାରା ଆମେରିକାର ସର୍ଜନ ଜେନେରାଲ ଭାବେ ନିଯୁକ୍ତ ହୋଇଥିବା ଡାକ୍ତର ବିବେକ ମୂର୍ତ୍ତି ଏବଂ ପ୍ରତିଷ୍ଠିତ ହାଭାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତିଜ୍ଞ ରାଜ୍ ଚେଟ୍ଟିଙ୍କୁ ବିଡେନ୍‌ଙ୍କ ପରାମର୍ଶକାରୀ ଭାବେ ନିଯୁକ୍ତ କରାଯାଇଥିବା କୁହାଯାଇଛି । ଡାକ୍ତର ମୂର୍ତ୍ତି କରୋନା ମହାମାରୀକୁ ନେଇ ରହିଥିବା ସମସ୍ୟା ଏବଂ ଅର୍ଥନୀତିଜ୍ଞ ରାଜ୍ ଅର୍ଥନୀତି କ୍ଷେତ୍ରରେ ତାଙ୍କୁ ପରାମର୍ଶ ଦେଉଛନ୍ତି ।