୪ରୁ ଥଣ୍ଡା ବଢ଼ିବ, ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିଲେ ହେଁ ଓଡ଼ିଶା ଉପରେ ପ୍ରଭାବ ଶୂନ୍ୟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶୁକ୍ରବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗର ଓ ଉତ୍ତର ଆଣ୍ଡମାନ ସାଗର ଅଞ୍ଚଳରେ ଏକ ଘୂର୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଅର୍ଥାତ ଶନିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ । ଏହା ପରେ ଲଘୁଚାପଟି ବାଂଲାଦେଶ ଆଡ଼କୁ ମୁହାଁଇବ । ଫଳରେ ରାଜ୍ୟରେ ଏହି ଲଘୁଚାପର ପ୍ରଭାବ କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର୍ ବିଶ୍ୱାସ କହିଛନ୍ତି ଯେ ୧ ତାରିଖରେ ଉତ୍ତର ଉପକୂଳ ମୟୂରଭଞ୍ଜ ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ଅଛି । ୨ ଓ ୩ ତାରିଖ ମଧ୍ୟ ଉପକୂଳ ଓଡ଼ିଶାରେ କିଛି ଜାଗାରେ ହାଲକା ବର୍ଷା ହୋଇପାରେ । ଲଘୁଚାପର ବିଶେଷ ପ୍ରଭାବ ନଥିବା ବେଳେ ୩ ଦିନ ପର୍ଯ୍ୟନ୍ତ କେବଳ ଉପକୂଳ ଓଡ଼ିଶାରେ ମେଘୁଆ ପାଗ ରହିବ । ଅନ୍ୟପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭବନା ନ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଭାବିକ ଠାରୁ ୨-୩ ଡିଗ୍ରୀ ତାପମାତ୍ରା କମ ରହିବାର ସମ୍ଭାବନା ରହିଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟି ହୋଇଥିବା ମୋଲାଭୋ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରକୁ ଆସି ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା ଶୁକ୍ରବାରରେ ଦକ୍ଷିଣ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ସୃଷ୍ଟି କରି ୩୧ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ । ନଭେମ୍ବର ୧ ତାରିଖରେ ଏହା ଉତ୍ତର ବଙ୍ଗୋପସାଗରରେ କିଛି ମାତ୍ରାରେ ସଂଗଠିତ ହୋଇ ପଶ୍ଚିମବଙ୍ଗ/ବାଂଲାଦେଶକୁ ଗତି କରିବ ।

୨ ତାରିଖରେ ପୁଣି ଏହା ବଙ୍ଗୋପସାଗର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ରହିବ । ମାତ୍ର ଏହାର ଓଡ଼ିଶା ଉପରେ କୌଣସି ପ୍ରଭାବ ରହିବ ନାହିଁ । ଫଳରେ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ରହିବ । ତେବେ ଲଘୁଚାପ ଯୋଗୁ ପବନର ଦିଗ ପରିବର୍ତ୍ତନ ହେବ । ଫଳରେ ଶନିବାରରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ ତାରିଖ ପର୍ଯ୍ୟନ୍ତ ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବା ସହିତ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପ୍ରାୟତଃ ଅପରିବର୍ତ୍ତିତ ରହିବ । ୪ ତାରିଖରୁ ପୁଣି ସର୍ବନିମ୍ନ ତାପମାତ୍ରା ପ୍ରାୟ ୩-୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ଯୋଗୁଁ ଥଣ୍ଡା ପୁଣି ବଢ଼ିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଏହି ତାପମାତ୍ରା କମିବାର ସମ୍ଭାବନା ଅଧିକ ରହିଛି ।