ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା, ୭ମୃତ

ବିଶାଖାପାଟନମ୍‌,ଏଜେନ୍ସି: ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାରେ ଶୁକ୍ରବାର ସକାଳ ସମୟରେ ଏକ ଭ୍ୟାନ୍ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାର ତାନ୍ତିକୋଣ୍ଡା ସ୍ଥିତ ଭେଙ୍କଟେଶ୍ୱର ମନ୍ଦିର ଘାଟ ରୋଡ୍‌ରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଗୋଟିଏ ଭ୍ୟାନ୍‌ରେ ୧୭ଜଣ ଲୋକ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍‌ରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଦୁଇ ମହିଳା ଏବଂ ଦୁଇ ଶିଶୁ ମଧ୍ୟ ସାମିଲ୍ ଅଛନ୍ତି । ଆହତଙ୍କୁ ସ୍ଥାନୀୟ କାକିନାଡ଼ା ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଘଟଣାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକପ୍ରକାଶ କରିଥିବା ବେଳେ ଆହତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତାହତମାନେ ଗୋକବରମ୍ ମଣ୍ଡଳର ଟେକୁରପାଲମ୍ ଗ୍ରାମର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।