ତେଲ୍ ଆଭିଭ୍,ଏଜେନ୍ସି: ଗତ ସେପ୍ଟେମ୍ବର ୧୫ରେ ଆମେରିକାର ମଧ୍ୟସ୍ତତାରେ ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ବୁଝାମଣା ହେବା ପରେ ଦୁଇ ଦେଶ ମଙ୍ଗଳବାର ଭିସା କୋହଳ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ଆରବ ରାଷ୍ଟ୍ର ସହ ଇସ୍ରାଏଲ ପ୍ରଥମ କରି ଏଭଳି ରାଜିନାମା କରିଛି ବୋଲି ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟରେ କୁହାଯାଇଛି । ତେଲ୍ ଆଭିଭ୍ ଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ଆମେରିକାର ବିତ୍ତସଚିବ ଷ୍ଟିଭେନ୍ ମିନୋଚିନ୍ ଏବଂ ୟୁଏଇର ବରିଷ୍ଠ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଏହି ରାଜିନାମା କରାଯାଇଛି । ଏହାଥିଲାର ୟୁଏଇର ପ୍ରଥମ ଉଚ୍ଚସ୍ତରୀୟ ଇସ୍ରାଏଲ ଗସ୍ତ ।
ନୂଆ ଭିସା କୋହଳ ରାଜିନାମା ଅନୁଯାୟୀ ଉଭୟ ୟୁଏଇ ଓ ଇସ୍ରାଏଲର ନାଗରିକମାନେ ଅନ୍ୟ ଦେଶକୁ ଯାଇପାରିବେ । ସେମାନଙ୍କର ଆଉ ଭିସା ଦରକାର ପଡିବ ନାହିଁ । ଉଲ୍ଲେଖଯୋଗ୍ୟ ମଙ୍ଗଳବାର ପୂର୍ବାହ୍ନରେ ଇତିହାଦ୍ ଏୟାରୱେଜ୍ ଫ୍ଲାଇଟ୍ ଇୱାଇ ୯୬୦୭ ୟୁଏଇରୁ ଯାଇ ଇସ୍ରାଏଲରେ ପହଞ୍ôଚଥିଲା । ତେଲ୍ ଆଭିଭ୍ ବାହାରେ ଥିବା ବେନ୍ ଗୁରିଅନ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହି ପ୍ରତିନିଧିଦଳ ଅବତରଣ କରିଥିଲେ । ଇସ୍ରାଏଲ ଇତି ମଧ୍ୟରେ ଚାରି ଆରବ ରାଷ୍ଟ୍ର ଇଜିପ୍ଟ, ଜୋର୍ଡାନ୍, ବାହାରିନ୍ ଓ ୟୁଏଇ ସହ ଶାନ୍ତି ରାଜିନାମା କରିଛି । ତେବେ ଆମେରିକା ଏ ପର୍ଯ୍ୟନ୍ତ ଇସ୍ରାଏଲ ସହ ଭିସା କୋହଳ ରାଜିନାମାରେ ସ୍ୱାକ୍ଷର କରିନାହିଁ ।