ଲାହୋର,ଏଜେନ୍ସି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ୍ ଲିଗ୍ ଉପାଧ୍ୟକ୍ଷା ମାରିୟମ ନୱାଜଙ୍କ ବିରୋଧରେ ସରକାର ବିରୋଧୀ ରାଲି କରୁଥିବା ସମ୍ପର୍କରେ ମଙ୍ଗଳବାର ମାମଲା ରୁଜୁ ହୋଇଛି । ମାରିୟମ୍ଙ୍କ ବ୍ୟତୀତ ତାଙ୍କ ଦଳର ୨ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ୧୧ଟି ବିରୋଧୀ ଦଳକୁ ନେଇ ଗଠିତ ଗଠବନ୍ଧନ ‘ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍ମେଣ୍ଟ’(ପିଡିଏମ୍) ପକ୍ଷରୁ ଅକ୍ଟୋବର ୧୬ରେ ଏକ ରାଲିର ଆୟୋଜନ କରାଯାଇଥିଲା । ରାଲି ପରେ ଅନୁଷ୍ଠିତ ଜନସଭାରେ ମାରିୟମ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ‘ଭୀରୁ ଏବଂ କାଠକଣ୍ଢେଇ’ ବୋଲି ଆକ୍ଷେପ କରିବା ସହ ଇମ୍ରାନ୍ ନିଜ ଭୀରୁତାକୁ ଲୁଚାଇବାକୁ ସେନା ପଛରେ ଯାଇ ଲୁଚୁଥିବା ବୟାନ ଦେଇଥିଲେ ।
ମାରିୟମ୍ଙ୍କ ବିରୋଧରେ ସରକାରୀ ସଂସ୍ଥା ବିରୋଧରେ ନାରା ଲଗାଇବା, ସଡ଼କ ଅବରୋଧ କରିବା ଏବଂ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ କରିବା ସମ୍ବନ୍ଧରେ ମାମଲା ରୁଜୁ କରାଯାଇଛି । ମାରିୟମ୍ଙ୍କ ସ୍ୱାମୀ କ୍ୟାପ୍ଟେନ୍ ମହମ୍ମଦ ସଫଦରଙ୍କ ନାମ ମଧ୍ୟ ଏହି ଏଫ୍ଆଇଆର୍ ତାଲିକାରେ ରହିଛି । ସୂଚନାଯୋଗ୍ୟ, କାୟେଦେ-ଇ-ଆଜମ୍(ମହମ୍ମଦ ଅଲ୍ଲୀ ଜିନ୍ନା)ଙ୍କ କବରକୁ ଅସମ୍ମାନ କରିଥିବା ମାମଲାରେ ମହମ୍ମଦ ସଫଦରଙ୍କୁ ଗିରଫ କରାଯାଇଥିବା ସୋମବାର ପତ୍ନୀ ମାରିୟମ୍ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ । ତେବେ ପରେ ତାଙ୍କୁ ଜାମିନ୍ରେ ଛାଡ଼ି ଦେିଥିଲେ ।