ସତର୍କ ରହିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ, ‘ଲକ୍‌ଡାଉନ୍ ଯାଇଛି, କରୋନା ଭୂତାଣୁ ରହିଛି’

ନୂଆଦିଲ୍ଲୀ,ଏଜେନ୍ସି: ଦେଶରୁ ଲକ୍‌ଡାଉନ୍ ହୁଏତ ଯାଇଛି କିନ୍ତୁ କରୋନା ଭୂତାଣୁ ତଥାପି ଦେଶରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏଭଳି ପରିସ୍ଥିତିରେ ସର୍ତକ ରହିବାକୁ ସଚେତନ କରିଦେଇଛନ୍ତି । ସେ କହିଛନ୍ତି, କରୋନା ବିରୋଧୀ ଲଢେଇରେ ଜନତା କର୍ଫ୍ୟୁରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦେଶବାସୀ ଦୀର୍ଘଦିନ ପରେ ପୁଣି ଚଳଚଞ୍ଚଳ ହେଉଛନ୍ତି । ଧୀରେ ଧୀରେ ଆର୍ଥିକ ଗତିବିଧି ମଧ୍ୟ ବଢୁଛି । ଅନେକ ଲୋକ ଘରୁ ପଦାକୁ ବାହାରିଲେଣି । ଏବେ ପାର୍ବଣ ସମୟ ଆସିଥିବାରୁ ଦୋକାନ ବଜାରରେ ମଧ୍ୟ ଗହଳି ଚହଳି ହେଲାଣି । କିନ୍ତୁ ଆମେ ଭୁଲିଯିବା ନାହିଁ ଯେ, ଲକ୍‌ଡାଉନ୍ ଚାଲି ଯାଇଥାଇପାରେ କିନ୍ତୁ କରୋନା ଭୂତାଣୁ ଏ ପର୍ଯ୍ୟନ୍ତ ଯାଇନାହିଁ ।

ମାନବ ସମାଜକୁ ରକ୍ଷା କରିବା ଲାଗି ସବୁ ମହଲରେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ଟିକା ନଆସିବା ପର୍ଯ୍ୟନ୍ତ କରୋନା ଭୂତାଣୁ ବିରୋଧରେ ଆମର ସଂଗ୍ରାମ ଜାରି ରହିବା ଦରକାର । ପ୍ରତ୍ୟେକ ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ନିମନ୍ତେ ସରକାର ବିହିତ ପଦକ୍ଷେପ ନେଉଛନ୍ତି । ଭାରତରେ କରୋନା ମୃତ୍ୟୁହାର ଏବେ ୧ ନିୟୁତ ଜନସଂଖ୍ୟାରେ ୮୩ ରହିଛି । ଏହି ତୁଳନାରେ ଆମେରିକା, ଇଂଲଣ୍ଡ ଓ ବ୍ରାଜିଲ ପ୍ରଭୃତି ଦେଶରେ ମୃତ୍ୟୁହାର ୬ ଶହରୁ ଅଧିକ ରହିଛି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ କରୋନା ଭୂତାଣୁର ସଂକ୍ରବଣ ରୋକିବା ଲାଗି ବିଶେଷ ତତ୍ପରତା ପ୍ରକାଶ କରିଛି । ତେଣୁ ଟିକା ନଆସିବା ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଆଦୌ ଢିଲା ନଦେବାକୁ ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ମାତ୍ର ୧୨ ମିନିଟ୍ ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦୀ କହିଲେ, ମୁଁ ସମସ୍ତଙ୍କୁ ନିବେଦନ କରୁଛି ଆପଣମାନେ ଏବଂ ଆପଣଙ୍କ ପରିବାରବର୍ଗ ସମସ୍ତେ ନିରାପଦରେ ରୁହନ୍ତୁ । ପୂଜାପାର୍ବଣ ଆପଣମାନଙ୍କ ଜୀବନରେ ସୁଖ ଶାନ୍ତି ଓ ଆନନ୍ଦ ଆଣୁ ବୋଲି ମୁଁ କାମନା କରୁଛି । ଉଲ୍ଲେଖଯୋଗ୍ୟ ଦେଶରେ କରୋନା ସଂକ୍ରମଣ ଦେଖାଦେବା ପରେ ଏହାଥିଲା ଦେଶବାସୀଙ୍କୁ ମୋଦୀଙ୍କର ସପ୍ତମ ଉଦ୍‌ବୋଧନ । ପାର୍ବଣ ଓ ଆଗକୁ ଆସୁଥିବା ଶୀତଋତୁ ସମୟରେ କରୋନା ସଂକ୍ରମଣ ବୃଦ୍ଧିପାଇବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିବା ପରିପ୍ରେକ୍ଷୀରେ ମୋଦୀ ଦେଶବାସୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ।

ଗତ ଜୁନ ୩୦ ତାରିଖରେ ସେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମ୍ପ୍ରସାରଣ ଲାଗି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ୮୦ କୋଟି ଗରିବ ଜନସାଧାରଣଙ୍କୁ ମାଗଣା ରାସନ୍ ଯୋଗାଇ ଦିଆଯାଉଛି । ନଭେମ୍ବର ଶେଷ ପର୍ଯ୍ୟନ୍ତ ଏହା ଯୋଗାଇ ଦିଆଯିବ । ଏହା ପୂର୍ବରୁ ମୋଦୀ ଗତ ମେ’ ୧୨ରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ ।