କେନ୍ଦ୍ରମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଉଚ୍ଛେଦ ହେଉ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୦କୁ ରାଜ୍ୟର ବୃହତର ଶୈକ୍ଷିକ ସମାଜ ଦୃଢ଼ ବିରୋଧ କରୁଛି । ଏହା ସହ ଏହି ବିଧେୟକ ଦେଶର ସାମ୍ବିଧାନିକ ବ୍ୟବସ୍ଥା ତଥା ୟୁଜିସି ନିୟମାବଳୀର ଦୃଢ଼ ବିରୋଧାଚରଣ କରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ଛାତ୍ର, ଶିକ୍ଷକ, ଗବେଷକ ତଥା ଉଚ୍ଚଶିକ୍ଷା ବ୍ୟବସ୍ଥାର ସ୍ୱାର୍ଥରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିୟାଲ ନିସଙ୍କ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରି ଏହି ବିଧେୟକକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖି ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେକ କରିଛନ୍ତି ଯେ, ଓଡ଼ିଶା ସରକାରଙ୍କର ଏହି ନୂଆ ନିୟମରେ ବିଶ୍ୱ ବିଦ୍ୟାଳୟଗୁଡ଼ିକର ନୀତି ନିର୍ଦ୍ଧାରକ ସିନେଟ୍ ବ୍ୟବସ୍ଥାକୁ ସମାପ୍ତ କରି ଏହା ସ୍ଥାନରେ ସରକାର ନିୟନ୍ତ୍ରିତ ସିଣ୍ଡିକେଟ୍ ବ୍ୟବସ୍ଥା ପ୍ରଚଳନ କରିବାର ଉଲ୍ଲେଖ କରଯିବ । ବିଶ୍ୱବିଦ୍ୟାଳୟ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଚତୁରତାର ସହିତ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ପ୍ରତିନିଧି ରଖିବା ସହ ଏହି ଚୟନ କମିଟିକୁ ଅର ଏକାଡେମିକ୍ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ।

ବିଶ୍ୱ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଅଧିକାରରୁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବଞ୍ଚିତ କରି ଏହି କାମକୁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନକୁ ପ୍ରଦାନ କରିବା ଦ୍ୱାରା ରାଜ୍ୟ ସରକାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ରିମୋର୍ଟ କଣ୍ଟ୍ରୋଲ ବ୍ୟବସ୍ଥାରେ ରଖିବାକୁ ଚାହୁଁଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଅଭିଯୋଗ କରିଛନ୍ତି । ଏହା ସହ ବିଶ୍ୱବିଦ୍ୟାଳୟର ଆୟ-ବ୍ୟୟ ବିବରଣୀ ସାମ୍ବିଧାନିକ ବ୍ୟବସ୍ଥା ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବାର ବ୍ୟବସ୍ଥାକୁ ନୂଆ ବିଧେୟକରେ ବନ୍ଦ କରି ଦିଆଯିବା ଦ୍ୱାରା ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚର ସଠିକ୍ ସମୀକ୍ଷା ହୋଇପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ଏହା ସହ ଭାରତୀୟ ସମ୍ବିଧାନରେ ଶିକ୍ଷା ଯୁଗ୍ମ ତାଲିକାରେ ଥିବା କାରଣରୁ ଭାରତୀୟ ସଂସଦର ଉଚ୍ଚ ଶିକ୍ଷା ଓ ଗବେଷଣା ସମ୍ବନ୍ଧୀୟ ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାର ପୂରା ଅଧିକାର ଥିବା ଦର୍ଶାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ୟୁଜିସି ଆକ୍ଟ-୧୯୫୬ ଆଧାରରେ ୟୁଜିସିର ନିୟମ ଆଧାରରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଗୁଡ଼ିକର ପରିଚାଳନା ଆଇନ ସମ୍ମତ । ଓଡ଼ିଶାର ନୂଆ ନିୟମରେ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଚୟନ ପ୍ରକ୍ରିୟା ଓପିଏସ୍‌ସି ଦ୍ୱାରା କରାଯିବା ୟୁଜିସି ନିୟମ ଅନୁସାରେ ସମ୍ପୂର୍ଣ୍ଣ ବେଆଇନ୍ । ଏହି ପ୍ରକାର ପରିସ୍ଥିତିରେ ଅନ୍ୟ ରାଜ୍ୟଗୁଡ଼ିକ ପ୍ରସ୍ତୁତ କରିଥିବା ଆଇନ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ଖାରଜ ହେବାର ନଜିର ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ବିଭିନ୍ନ ଉଦାହରଣ ଉଲ୍ଲେଖ କରି ଓଡ଼ିଶାର ଏହି ନିୟମ କିପରି ସାମ୍ବିଧାନିକ ବ୍ୟବସ୍ଥାର ପରିପନ୍ଥି ତାହା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ତାଙ୍କ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ରାଜ୍ୟରେ ଶୈକ୍ଷିକ ସମାଜ ଏହି ନିୟମକୁ ଦୃଢ଼ ବିରୋଧ କରୁଥିବା ପ୍ରସଙ୍ଗ ଉଲ୍ଲେଖ କରି ରାଜ୍ୟ ବିଶ୍ୱବିଦ୍ୟାଳୟ ଶିକ୍ଷକମାନଙ୍କ ଦ୍ୱାରା ଗଠିତ ଜଏଣ୍ଟ ଆକ୍ସନ କମିଟି ଦ୍ୱାରା କରାଯାଇଥିବା ସର୍ଭେରେ ଏହି ବିଲ୍ ବିରୋଧରେ ଦୃଢ଼ମତ ରହିଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ର ରାଜ୍ୟ ସରକାରଙ୍କ ନିୟମ ଦୃଢ଼ ବିରୋଧଚାରଣ କରିବା କଥା ମଧ୍ୟ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ସ୍ୱାୟତତା ପ୍ରାଥମିକତା ହୋଇଥିବା ବେଳେ ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ପ୍ରଶାସନିକ ନିୟନ୍ତ୍ରଣରେ ରଖି ଏହାକୁ ସରକାରୀକରଣ କରିବାକୁ ଚାହୁଁଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।