ନିର୍ବାହୀ ଯନ୍ତ୍ରୀ ଅପହରଣ ଘଟଣାର ପର୍ଦ୍ଦାଫାଶ, ୮ ଗିରଫ

ଝାରସୁଗୁଡା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ଝାରସୁଗୁଡା ପୁଲିସ । ଏହାସହ ଏହି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣ ଅପହରଣକାରୀଙ୍କୁ ତଥା ନିର୍ବାହୀ ଯନ୍ତ୍ରୀଙ୍କ ସୁନାଚେନ କିଣିଥିବା ବ୍ୟକ୍ତିଙ୍କୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ମୁରିବାହାଲ ଏବଂ ଟିଟିଲାଗଡ଼ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଥିବା ବୋଲେରୋ, ସୁନାଚେନ, ବନ୍ଧୁକ, ଭୁଜାଲି, ୨ଟି ଖଣ୍ଡା ,୯ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଶିବ ତାଣ୍ଡି(୨୬), ପଙ୍କଜ ବାଗ(୨୨), ଲଲିତ ତାଣ୍ଡି(୨୫), ବୁଲୁ ମନହିରା(୨୬), ପ୍ରକାଶ ମହାକୁଡ(୨୩), ନିରଞ୍ଜନ ଅଚାରୀ(୨୨), ତୋଫାନ ତାଣ୍ଡି(୨୦) ସଞ୍ଜୟ ସୋନୀ ବୋଲି ଝାରସୁଗୁଡା ପୁଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ ଏହି ଘଟଣାର ମାଷ୍ଟର ମାଇଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ କାମ କରୁଥିବା ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀ ରବି ତାଣ୍ଡି । ସେ କିଛିଦିନ ଅଫିସ ଆସି ନଥିବାରୁ ନିର୍ବାହୀ ଯନ୍ତ୍ରୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଥିଲେ । ଏଥିରେ ଉତ୍ୟକ୍ତ ହୋଇ ତାଙ୍କର ଦୁଇ ପୁଅ ଶିବ ତାଣ୍ଡି ଓ ତୋଫାନ ତାଣ୍ଡି ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ କରିବାର ଯୋଜନା କରିଥିଲେ । ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ଗତ ୬ ତାରିଖ ବିଳମ୍ବିତ ରାତିରେ ଝାରସୁଗୁଡ଼ାସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନକୁ ଉପରୋକ୍ତ ଅଭିଯୁକ୍ତମାନେ ପଶି ବନ୍ଧୁକ ମୁନରେ ତାଙ୍କଠାରୁ ୪ ହଜାର ଟଙ୍କା, ପିନ୍ଧିଥିବା ସୁନା ଚେନ୍ ନେବାସହ ୩ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । ହେଲେ ନିର୍ବାହୀ ଯନ୍ତ୍ରୀଙ୍କ ପାଖରେ ସେତିକି ଟଙ୍କା ନଥିବାରୁ ତାଙ୍କଠାରୁ ସେମାନେ ଏକ ଚେକ୍‌ରେ ଦସ୍ତଖତ କରାଇ ନେଇଥିଲେ ।

ଏହାସହ ଏହି ଟଙ୍କା ଉଠାଣରେ ସହଯୋଗ କରିବା ପାଇଁ ତାଙ୍କୁ ନେଇ ଅପହରଣକାରୀମାନେ ଏକ ବୋଲେରୋ ଯୋଗେ ସମ୍ବଲପୁର ଦେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗାକୁ ଯାଇଥିଲେ ।ସେଠାରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀଙ୍କୁ ନଗଦ ୩ ଲକ୍ଷ ଟଙ୍କା କାହା ସାହାଯ୍ୟରେ ମଗାଇବା ପାଇଁ କହିଥିଲେ । ନିର୍ବାହୀ ଯନ୍ତ୍ରୀ ଏନେଇ ତାଙ୍କର ଜଣେ ପରିଚିତ ବ୍ୟକ୍ତି ଶ୍ରୀନିବାସ ପ୍ରଧାନଙ୍କୁ ଏନେଇ ଜଣାଇବାସହ ୩ ଲକ୍ଷ ଟଙ୍କା ଅପହରଣକାରୀମାନଙ୍କୁ ପ୍ରଦାନ କରିବା ପାଇଁ ଫୋନ କରିଥିଲେ । ହେଲେ ଶ୍ରୀନିବାସଙ୍କ କେସିଙ୍ଗା ପହଞ୍ଚିବା ପାଇଁ ବିଳମ୍ବ ହେବାରୁ ପୁଲିସ ହାତରେ ଧରାପଡିଯିବା ଭୟରେ ଅପହରଣକାରୀମାନେ ନିର୍ବାହୀ ଯନ୍ତ୍ରୀଙ୍କୁ କେସିଙ୍ଗା ନିକଟସ୍ଥ ଉତ୍‌କେଲାର ଏକ ନିଛାଟିଆ ସ୍ଥାନରେ ଛାଡି ଫେରାର ହୋଇଯାଇଥିଲେ ।

କିଛି ସମୟ ପରେ ନିର୍ବାହୀ ଯନ୍ତ୍ରୀ ଲିଫ୍ଟ ସାହାଯ୍ୟରେ କେସିଙ୍ଗା ଥାନାରେ ପହଞ୍ଚି ତାଙ୍କ ଅପହରଣ ବିଷୟରେ କହିଥିଲେ । କେସିଙ୍ଗା ପୁଲିସ ଏନେଇ ଝାରସୁଗୁଡା ପୁଲିସକୁ ଖବର ଦେବା ପରେ ଝାରସୁଗୁଡାରୁ ଏକ ପୁଲିସ ଦଳ ତାଙ୍କୁ ସୁରକ୍ଷିତ ଝାରସୁଗୁଡା ଆଣିଥିଲା । ପରେ ଝାରସୁଗୁଡା ଟାଉନ ଥାନାରେ ନିର୍ବାହୀ ଯନ୍ତ୍ରୀ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହକୁ ଗୁରୁତର ସହ ତଦନ୍ତ କରି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ତତ୍ତ୍ୱବଧାନରେ ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ ଓ ଥାନା ଅଧିକାରୀ ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏକ ପୁଲିସ ଦଳ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ମୁରିବାହାଲ ଓ ଟିଟିଲାଗଡ଼ ଅଞ୍ଚଳରେ ଚଢାଉକରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।