ଶ୍ରୀନଗର,ଏଜେନ୍ସି: ଏକ ଅନାଥ ଆଶ୍ରମରେ ବଢିଥିବା ଜଣେ ଯୁବକ କଶ୍ମୀର ପ୍ରଶାସନିକ ସେବା(କେଏଏସ୍) ପରୀକ୍ଷାରେ ୪୬ତମ ରାଙ୍କ ହାସଲ କରିଛନ୍ତି। ଯୁବକ ଜଣକ ହେଉଛନ୍ତି ଜମ୍ମୁ-କଶ୍ମୀର ଡୋଡା ଅଞ୍ଚଳର ୨୪ବର୍ଷୀୟ ଗାଜି ଅବଦୁଲ୍ଲା। ସେ ଜୀବନରେ ଅନେକ ଖରାପ ପରିସ୍ଥିତିର ସାମ୍ନା କରିଛନ୍ତି ହେଲେ ଧୈର୍ଯ୍ୟହରା ହୋଇନଥିବା କହିଛନ୍ତି। ମାତ୍ର ଅଢେଇ ବର୍ଷର ହୋଇଥିବା ବେଳେ ଗାଜି ନିଜ ପିତାଙ୍କୁ ହରାଇଥିଲେ। ସେବେଠାରୁ ସେ ଶ୍ରୀନଗର ବେମିନା ସ୍ଥିତ ଏକ ଅନାଥ ଆଶ୍ରମରେ ରହି ଆସୁଛନ୍ତି। କେଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେ ସ୍ଥାନୀୟ ପିଲାଙ୍କ ପାଇଁ ପ୍ରେରଣା ବନିଯାଇଛନ୍ତି। ତେବେ ସେ ଏହି ପରୀକ୍ଷା ପାଇଁ କୌଣସି କୋଚିଂ ନେଇ ନାହାନ୍ତି। ବରଂ ସେକେଣ୍ଡ ହ୍ୟାଣ୍ଡ୍ ବହି କିଣି ଏବଂ ଇଣ୍ଟରନେଟରେ ଉପଲବ୍ଧ ହେଉଥିବା ମାଗଣା ଲର୍ଣ୍ଣିଂ ଉପକରଣ ଦ୍ୱାରା ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ଅନାଥ ଆଶ୍ରମରେ ରହିବା ପରେ ତାଙ୍କ ଭିତରେ ଅନୁଶାସନ ସୃଷ୍ଟି ହୋଇଥିଲା। ଏହି ଆଶ୍ରମ ହିଁ ତାଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି। ଏହାଛଡ଼ା ସେ ଏହି ସଫଳତାର ଶ୍ରେୟ ତାଙ୍କ ମା’ଙ୍କୁ ଦେଇଛନ୍ତି।