ପୂର୍ବତନ ରାଜ୍ୟପାଳ ଅଶ୍ୱିନୀ କୁମାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମଲା, ଏଜେନ୍ସି: ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱିନୀ କୁମାରଙ୍କ ମୃତଦେହ ସିମଲାସ୍ଥିତ ତାଙ୍କ ବାସଭବନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ଏବଂ ଡାକ୍ତରୀ ଦଳ ତୁରନ୍ତ ପହଞ୍ଚିଥିଲେ। ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅଶ୍ୱିନୀ କୁମାର ରଶି ଦେଇ ଆତ୍ମହତ୍ୟା କରିଥିବା ସିମଳା ପୁଲିସ ସୁପରିଟେଣ୍ଡାଣ୍ଟ ମୋହିତ ଚାୱଲା କହିଛନ୍ତି। ୧୯୭୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଶ୍ୱିନୀ କୁମାର ୨୦୧୩ରେ ସ୍ୱଳ୍ପକାଳ ଲାଗି ନାଗାଲାଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଥିଲେ। ସିବିଆଇ କାର୍ଯ୍ୟକାଳ ମଧ୍ୟରେ ସେ ଆରୁଷୀ-ହେମରାଜ ହତ୍ୟା ମାମଲା ଏବଂ ସୋହରାବୁଦ୍ଦିନ ନକଲି ଏନକାଉଣ୍ଟର ମାମଲା ଭଳି ଅନେକ ହାଇପ୍ରୋଫାଇଲ ମାମଲାର ତଦନ୍ତକାର୍ଯ୍ୟ ପରିଚାଳନା କରିଥିଲେ। ଏହା ପୂର୍ବରୁ ସେ ଅଗଷ୍ଟ ୨୦୦୬ରୁ ଜୁଲାଇ ୨୦୦୮ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଡିଜିପି ଭାବରେ କାର୍ଯ୍ୟ କରିଥିଲେ।