ଭେଣ୍ଟିଲେଟରଯୁକ୍ତ ଆମ୍ବୁଲାନ୍ସ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଅବ୍ୟବବହୃତ ସାଂସଦ ପାଣ୍ଠି ବିନିଯୋଗ କରି ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାଇଁ ୨ଟି ଲେଖାଏଁ ଭେଣ୍ଟିଲେଟର ସଂଯୁକ୍ତ ଅତ୍ୟାଧୁନିକ ଆମ୍ବୁଲାନ୍ସ କିଣିବାର ବ୍ୟବସ୍ଥା କରିବା ଲାଗି ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଶ୍ରୀ ପୂଜାରୀ କହିିଛନ୍ତି ଯେ, ବର୍ତ୍ତମାନ ଝାରସୁଗୁଡ଼ା ଓ ବରଗଡ଼ ଉଭୟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସହ ଅନ୍ୟ ରୋଗୀଙ୍କ ସଂଖ୍ୟା ଶତାଧିକ ମାତ୍ରାରେ ବଢ଼ି ଚାଲିଛି। ଏହି ଭୟଙ୍କର ପରିସ୍ଥିତିରେ ଉଭୟ ଜିଲ୍ଲାର ସରକାରୀ ଚିକିତ୍ସାଳୟରେ ଭେଣ୍ଟିଲେଟର ସଂଯୁକ୍ତ ଆମ୍ବୁଲାନ୍ସ ନାହିଁ। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ଜୀବନ ସଙ୍କଟାପନ୍ନ ରହୁଛି। ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅବ୍ୟବହୃତ ସାଂସଦ ପାଣ୍ଠିକୁ ବିନିଯୋଗ କରି ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାଇଁ ୨ଟି ଲେଖାଏଁ ଭେଣ୍ଟିଲେଟର ସଂଯୁକ୍ତ ଆମ୍ବୁଲାନ୍ସ କିଣିବା ପାଇଁ ଜିଲ୍ଲାପାଳଦ୍ୱୟଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରନ୍ତୁ। ନଚେତ୍ ରାଜ୍ୟ ସରକାର ନିଜେ କିଣି ଯଥାଶୀଘ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ମୋ ଅଞ୍ଚଳର ଲୋକେ ଏହି କୋଭିଡ ମହାମାରୀ ସମୟରେ ଉପକୃତ ହୋଇପାରିବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି।