ଲଦାଖରେ ୨୦ ସହିଦ ଯବାନଙ୍କ ସ୍ମାରକୀ ନିର୍ମିତ

ନୂଆଦିଲ୍ଲୀ,ଏଜେନ୍ସି: ଗତ ଜୁନ୍ ୧୫ରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଥିବା ଭାରତୀୟ ସେନାର ୨୦ ଯବାନଙ୍କ ଏକ ସ୍ମାରକୀ ନିର୍ମାଣ କରାଯାଇଛି । ଭାରତୀୟ ସେନା ପକ୍ଷରୁ ପୂର୍ବ ଲଦାଖରେ ଏହି ସ୍ମାରକୀ ନିର୍ମିତ ହୋଇଛି । ଉଲ୍ଲେଖଯୋଗ୍ୟ ଭାରତୀୟ ସେନା ତାର ସ୍ନୋ-ଲିଓପାର୍ଡ ଅପରେସନରେ ଅପୂର୍ବ ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କରି ଚୀନ୍ ସେନାକୁ ହଟାଇ ଦେଇଥିଲେ । ଏଥିରେ ଚୀନ୍ ସେନା ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ପ୍ରାୟ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ ମଧ୍ୟ ବେଜିଂ ପକ୍ଷରୁ ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ କରାଯାଇନାହିଁ ।

ଏହି ରକ୍ତାକ୍ତ ସଂଘର୍ଷ ସମୟରେ ଚୀନ୍ ସେନା ଟେକାପଥର, ଠେଙ୍ଗା, ବାଡ଼ି, ଲୁହା ଛଡ ସାହାଯ୍ୟରେ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲେ । ୧୬ ବିହାର ରେଜିମେଣ୍ଟର କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ନେତୃତ୍ୱରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ ଚୀନ୍ ସେନାର ଦୃଢ ମୁକାବିଲା କରିଥିଲେ । ନିର୍ମିତ ହୋଇଥିବା ଏହି ସ୍ମାରକୀରେ ୨୦ ସହିଦ ଯବାନଙ୍କ ନାମ ଉଲ୍ଲେଖ ରହିଛି । ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମଏମ୍ ନରବଣେ ଏହି ୟୁନିଟ୍‌ର ୫ ଜଣ ବୀର ଯବାନଙ୍କୁ ପ୍ରଶସ୍ତିପତ୍ର ପ୍ରଦାନ କରିଥିଲେ ।