ଫାଭିପିରାଭିର ଖାଇବା ନେଇ ସ୍ୱାସ୍ଥ୍ୟ ବିଭାଗର ଏସଓପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତ କେମିତି ଖାଇବେ ଫାଭିପିରାଭିର ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି। ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନ ଓ ସିଡିଏମଓଙ୍କୁ ଚିଠି ଲେଖି କୁହାଯାଇଛି। ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ଫାଭିପିରାଭିର। ଏଥିପାଇଁ ରୋଗୀଙ୍କ ଆବଶ୍ୟକ ସୂଚନା ଯୋଗାଇ ଦେବ ରାପିଡ ରେସପନ୍ସ ଟିମ୍। ଆବଶ୍ୟକ ସ୍ଥଳେ ଆକ୍ରାନ୍ତଙ୍କ ସହ ପରିବାର କିମ୍ବା ସଂପର୍କୀୟଙ୍କୁ ଟାବଲେଟ୍ ଖାଇବା ବାବଦରେ ସବିଶେଷ ସୂଚନା ଦିଆଯିବ। ଏପରିକି ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ କ’ଣ ସାବଧାନତା ଗ୍ରହଣ କରିବେ ସେବାବଦରେ ମଧ୍ୟ ସୂଚନା ଦେବେ।

ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ହିିଁ ଫାଭିପିରାଭିର୍ ଖାଇବାକୁ କୁହାଯାଇଛି। ଟାବଲେଟ ଭାଙ୍ଗିବା କିମ୍ବା ଚୋବାଇବା ପାଇଁ ବାରଣ କରାଯାଇଛି। ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ଏହାକୁ ନେଇ ପାରିବେ। ଦିନର ନିର୍ଦିଷ୍ଟ ସମୟରେ ହିଁ ଖାଇବେ। ପ୍ରଥମ ଦିନରେ ୧୮ ଶହ ମିଲିଗ୍ରାମ ଲେଖାଏଁ ଦିନକୁ ୨ ଥର ଏବଂ ଦ୍ୱିତୀୟ ଦିନରେ ୮ ଶହ ମିଲିଗ୍ରାମ ଦିନକୁ ୨ଟି ଲେଖାଏଁ ଖାଇପାରିବେ। ୬୦ ବର୍ଷରୁ ଅଧିକ କରୋନା ଆକ୍ରାନ୍ତ ବ୍ୟକ୍ତି ଟାବଲେଟ୍ ଖାଇବା ପରେ ହେଇଥିବା ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ନିୟମିତ ଡାକ୍ତରଙ୍କୁ ଜଣାଇବେ। ଏସଓପିରେ କୁହାଯାଇଛି ଯେ, ଫାଭିପିରାଭିର୍ ଖାଇବା ପରେ ରକ୍ତରେ ୟୁରିକ୍ ଏସଡିର ମାତ୍ରା ବୃଦ୍ଧି ହେବା ସହିତ ଶ୍ୱେତ ରକ୍ତକଣିକା ବୃଦ୍ଧି ହୋଇଥାଏ।