ବଲାଙ୍ଗିରରେ ଚାଲିଛି ଗୁଣ୍ଡାରାଜ‌: ଆକ୍ରମଣରେ ୨ ଗୁରୁତର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରରେ ଦିନ ଦିପହରରେ ଚାଲିଛି ଗୁଣ୍ଡାରାଜ୍‌। ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସହରର କଂସାରୀପଡ଼ା ମଦନଗୁଡ଼ିଆ ବଗିଚା ନିକଟସ୍ଥ ଇଂରାଜୀ ମଦ ଦୋକାନ ସାମ୍ନାରେ। ସ୍ପଷ୍ଟ ଦିବାଲୋକରେ ଅତର୍କିତ ଆକ୍ରମଣ ହୋଇଛି ୨ ଜଣ ଯୁବକଙ୍କ ଉପରେ। ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଥିବା ବେଳେ ଏଭଳି ନୃଶଂସ ଆକ୍ରମଣକୁ ଦେଖି ଲୋକେ ଛାନିଆ ହୋଇଯାଇଛନ୍ତି।

ସୂଚନା ଅନୁସାରେ ସ୍ଥାନୀୟ ଇନ୍ଦିରାନଗରର ତୁଷାର ପାଢ଼ୀ(୨୧) ଏବଂ ଗରିବ ପାଣ୍ଡେ(୨୭)ଙ୍କୁ ଉପରୋକ୍ତ ସ୍ଥାନରେ ଦେଖି ୧୦ରୁ ୧୨ ଜଣ ଲୋକ ବିଭିନ୍ନ ମାରଣାସ୍ତ୍ର ଓ ଇଟା, ପଥର ସାହାଯ୍ୟରେ ଆକ୍ରମଣ କରିଥିବା ବେଳେ ସଂପୃକ୍ତ ୨ ଜଣ ଯୁବକ ଲହୁଲହାଣ ହୋଇ ପଡ଼ି ଯାଇଥିଲେ। କୌଣସି ସୂତ୍ରରୁ ଆଦର୍ଶ ଟାଉନ୍‌ ଥାନା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଗୁରୁତର ଆହତଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ପ୍ରବଳ ରକ୍ତସ୍ରାବ ଯୋଗୁଁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ବୁର୍ଲା ଡାକ୍ତରଖାନାକୁ ରେଫର‌ କରାଯାଇଥିବା ଜଣାପଡ଼ିଛି। ଆହତ ତୁଷାର ପାଢ଼ୀର ଅବସ୍ଥା ବେଶୀ ଗୁରୁତର ରହିଥିବା କୁହାଯାଉଛି।