ଝାରସୁଗୁଡା,ଏନ୍ଏନ୍ଏସ୍: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ପାରିତ ହୋଇଥିବା ନୂତନ କୃଷି ବିଲ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ବୋଲି ଆଜି ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଏହି ବିଲ୍ ଦ୍ୱାରା ସାରା ଦେଶରେ ଗୋଟିଏ ଦେଶ ଗୋଟିଏ ମାର୍କେଟ ସମ୍ଭବ ହୋଇ ପାରିବ।
ଚାଷୀ ପୂର୍ବରୁ ନିଜ ସାମଗ୍ରୀ ବିକ୍ରି ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ବଜାରକୁ ଯାଉଥିଲା। ହେଲେ ଏବେ ଚାଷୀ ଦେଶର ଯେ କୌଣସି ସ୍ଥାନରେ ନିଜ ସାମଗ୍ରୀ ବିକ୍ରି କରିପାରିବ। ଏହି ଆଇନ ଦ୍ୱାରା ଦଲାଲ ବା ମଧ୍ୟସ୍ତି ରହିବେ ନାହିଁ। ଫଳରେ ଚାଷୀ ଉପଯୁକ୍ତ ମୂଲ୍ୟ ପାଇବେ। ସେହିପରି କୃଷି ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ରହିବା ସହ ସରକାରୀ ମାର୍କେଟ ୟାର୍ଡ ରହିବ। ଏହାସହ ଅଣ ସରକାରୀ ମାର୍କେଟ ୟାର୍ଡ ସାଙ୍ଗରେ ପ୍ରାଇଭେଟ ପ୍ଲେୟାର୍ସମାନେ ଚାଷୀଙ୍କ ଦ୍ରବ୍ୟ କିଣିବା ପାଇଁ ଆସିବେ। ଫଳରେ କ୍ରେତା ବଢିବେ ଏବଂ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ପାଇ ପାରିବେ। ଏହା ଚାଷୀଙ୍କ ଆର୍ଥିକ ସ୍ୱଚ୍ଛଳତା ଆଣିପାରିବ।
ସେହିପରି କଣ୍ଟାକ୍ଟ ଫାର୍ମିଂ ଦ୍ୱାରା କେବଳ ଜଣେ ଚାଷୀର ଉତ୍ପାଦିତ ଫସଲ କିଣି ପାରିବ। ଚାଷୀର ଜମି କିଣି ପାରିବ ନାହିଁ। ତେଣୁ ଏହି ଆଇନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ପ୍ରମୁଖଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।