ରେଳ ଲାଇନ ଟ୍ରାକରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିକଟସ୍ଥ କାର୍ଲ। ଫାଟକ ୧୬୪/୫ ରେଳ ଖମ୍ବା ନିକଟରେ ରେଳ ଟ୍ରାକରୁ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଆଇଆଇସି ଓ ଜି.ଆର.ପି ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ବେଳପଡ଼ା ଥାନା ବେଳପଡା ଗାଁର ତୁଲାରାମ ପୋଢ଼ଙ୍କ ପୁଅ ମହେନ୍ଦ୍ର ପୋଢ଼ କଣ୍ଟାବାଞ୍ଜିର ରୁବି ଟ୍ରାନ୍ଚପୋର୍ଟ ଅନୀଲ ଅଗ୍ରୱାଲଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ।

ସବୁ ଦିନ ଭଳି ସେ ଟ୍ରାନ୍ସପୋର୍ଟ ପିକଅପ ଗାଡ଼ିରେ ଗତକାଲି ରାତିରେ ରାୟପୁରରୁ କଣ୍ଟାବାଞ୍ଜି ଆସୁଥିବା ବେଳ କଣ୍ଟାବାଞ୍ଜି-ତୁରେକେଲାର ମୁଖ୍ୟ ରାସ୍ତାରେ ସିନଟେକ୍ସ ଡ୍ରମ ଓ ପାଇପ ଗାଡି ଛିଡା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଗାଡ଼ିରୁ କିଛି ଦୂରରେ ଥିବା ରେଳ ଲାଇନ ଟ୍ରାକରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବରପାଇ ଖୁଟୁଲୁମୁଣ୍ଡା ଗାଁରେ ମୃତଙ୍କ ଭେଣେଇ ଲକ୍ଷ୍ମଣ ବାଗ ଆସି ମହେନ୍ଦ୍ରଙ୍କୁ ଚିହ୍ନଟ କରିଥିଲେ। ତେବେ ମୃତକଙ୍କ ଶରୀର ସାରା ମାଡ ଚିହ୍ନ ଥିବାବେଳେ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଫଳରେ ପରିବାର ପକ୍ଷରୁ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।