ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦାଖରେ ଶୀତ ସମୟରେ ଚୀନର ମୁକାବିଲା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଛି। ଚୀନ୍ ସହିତ ଜାରି ରହିଥିବା ତିକ୍ତତା ମଧ୍ୟରେ ଚୁମାର-ଡୋମେଚୋକ ଅଞ୍ଚଳର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଟି -୯୦ ଏବଂ ଟି -୭୨ ଟ୍ୟାଙ୍କ ସମେତ ଇନଫେଣ୍ଟ୍ରି ଯୁଦ୍ଧ ଯାନ ନିୟୋଜିତ କରାଯାଇଛି। ସେମାନଙ୍କର ବିଶେଷତ୍ୱ ହେଉଛି, ସେମାନେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ମାଇନସ୍ ୪୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାରେ କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି।
୧୪ କର୍ପସର ଚିଫ୍ ଅଫ୍ ଷ୍ଟାପ୍ ମେଜର ଜେନେରାଲ ଅରବିନ୍ଦ କପୁର ଆଜି ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ‘ଫାୟାର ଏଣ୍ଡ ଫ୍ୟୁରି କର୍ପସ’ ହେଉଛି ଭାରତୀୟ ସେନାର ଏକମାତ୍ର ସଂଗଠନ ଯାହା ଏଭଳି କଠିନ ଅଞ୍ଚଳରେ ଯାନ୍ତ୍ରିକ ଶକ୍ତି ନିୟୋଜିତ କରିଛି। ଟ୍ୟାଙ୍କ, ଇନଫେଣ୍ଟ୍ରି ଯୁଦ୍ଧ ଯାନ ଏବଂ ଭାରୀ ବନ୍ଧୁକ ରକ୍ଷଣାବେକ୍ଷଣ ଏହି କ୍ଷେତ୍ରରେ ଏକ ଆହ୍ୱାନ। କ୍ରୁ ଏବଂ ଯନ୍ତ୍ରପାତିର ପ୍ରସ୍ତୁତତାକୁ ନିଶ୍ଚିତ କରିବା ପାଇଁ ଆଜି ଆମର ସମସ୍ତ ଲଜିଷ୍ଟିକ ପ୍ରସ୍ତୁତି ଯଥେଷ୍ଟ ଅଛି ବୋଲି କୁହାଯାଇଛି।
ଶ୍ରୀ କପୁର କହିଛନ୍ତି ଯେ ଏଥର ଲଦାଖରେ ଥଣ୍ଡା ଅତି ଭୟଙ୍କର ହେବ। ଶୀତ ଋତୁରେ ଆମର ପ୍ରସ୍ତୁତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ରାସନ, ଇନ୍ଧନ, ତେଲ, ପୋଷାକ, ଅଧିକ କ୍ୟାଲୋରି ଏବଂ ପୁଷ୍ଟିକର ଖାଦ୍ୟ ଓ ଗରମ ଉପକରଣ ଅଛି। ସମ୍ପ୍ରତି, ସେନା ଏହି ଯାନଗୁଡିକ ପାଇଁ ୩ ପ୍ରକାରର ଇନ୍ଧନ ବ୍ୟବହାର କରୁଛି, ଯାହାକି କଠିନ ଶୀତ ସମୟରେ ଇନ୍ଧନ ଫ୍ରିଜ୍ ହୋଇନଥାଏ।