ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ: ୭୫୭ରୁ ୧୩୬ ପଜିଟିଭ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୯ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ଥିବାବେଳେ ଏହା ପୂର୍ବରୁ କରୋନା ଟେଷ୍ଟ ରିପୋର୍ଟ ଆସିଛି। ଗତକାଲି କରାଯାଇଥିବା ୭୫୭ କୋଭିଡ୍ ପରୀକ୍ଷାରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ବିଧାୟକ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିବା ଜଣାପଡ଼ିଛି।
ତେବେ ଯେଉଁ ମାନଙ୍କର କରୋନା ପଜିଟିଭ ଆସିଛି, ସେମାନେ ବିଧାନସଭା ପରିସରକୁ ପ୍ରବେଶ କରିପାରିବେ ନାହିଁ।

ଆଜି ମଧ୍ୟ ଅନେକ ବିଧାୟକ କରୋନା ଟେଷ୍ଟ କରାଇଛନ୍ତି। ୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ। ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ। ଅନ୍ୟଦିନ ମାନଙ୍କରେ ଗୃହକାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଓ ଦ୍ୱିତୀୟାର୍ଦ୍ଧରେ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ। ରବିବାର ମଧ୍ୟ ଗୃହକାର୍ଯ୍ୟ ଚାଲିବ। ୧୪୫ ବିଧାୟକ ବସିବା ପାଇଁ ବ୍ୟବସ୍ଥା ହୋଇଛି।