ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଶରତ କୁମାର ବାଗଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ଏନେଇ ଗତକାଲି ଝାରସୁଗୁଡ଼ା ଜିଲ୍ଲାସ୍ଥିତ ବିଟିଏମ ଆଉଟ ପୋଷ୍ଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଡାଲିଆଙ୍କ ସ୍ୱାମୀ ତାଙ୍କୁ ମାରପିଟ କରିବା ସହ ତାଙ୍କର ଅନ୍ୟ ଏକ ମହିଳା ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ମୁତାବକ ଗତକାଲି ଅପରାହ୍ଣରେ ଡାଲିଆଙ୍କ ସ୍ୱାମୀ ଶରତ କୁମାର ବାଗ, ଭାଇ ସୁରେଶ କୁମାର ବାଗ, ସ୍ୱାମୀଙ୍କ ଝିଅ ସାଙ୍ଗ ଅଞ୍ଜଳି ବାଗ ଓ ମନୋଜ ବିଶି ଏକ ଗାଡିରେ କୁଆଡେ ଯାଉଥିବା ସେ ଖବର ପାଇଥିଲେ। ଫଳରେ ଡାଲିଆ ସେମାନଙ୍କ ପିଛା କରିଥିଲେ। ଶରତ ଓ ତାଙ୍କ ସାଙ୍ଗମାନେ ଏକ ମଦ ଦୋକାନରୁ ମଦ ଓ ଏକ ଢାବାରୁ ଖାଇବା ସାମଗ୍ରୀ ନେଇ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ସମ୍ମୁଖରେ ଥିବା ଏକ ଘରକୁ ଯାଇଥିଲେ। ସେଠାରେ ସେମାନେ ମଦ୍ୟପାନ କରୁଥିବା ସମୟରେ ଡାଲିଆ ହଠାତ୍ ଘର ଭିତରକୁ ପଶିବା ପରେ ତାଙ୍କ ସ୍ୱାମୀ, ଅଞ୍ଜଳି, ସୁରେଶ ଓ ମନୋଜ ତାଙ୍କୁ ମାରପିଟ କରିଥିଲେ। ସେମାନେ ଲୁହା ରଡରେ ମାରିଥିଲେ। ଏପରିକି ଅଞ୍ଜଳି ଏକ ବନ୍ଧୁକ ବାହାରକରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କୌଶଳକ୍ରମେ ଡାଲିଆ ସେଠାରୁ ଖସି ଆସି ବିଟିଏମ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।
ଏହାସହ ସେ ଆଜି ଏସପିଙ୍କୁ ଦେଖା କରିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଡାଲିଆ କହିଛନ୍ତି ଶରତଙ୍କ ସହ ତାଙ୍କର ବଲାଙ୍ଗିର କୋର୍ଟରେ ୨୦୦୬ ମସିହା ମାର୍ଚ୍ଚ ମାସ ୬ ତାରିଖ ବିବାହ ହୋଇଥିଲା। ଏବେ ତାଙ୍କର ୩ଟି ଝିଅ ସନ୍ତାନ ଥିବାବେଳେ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ମାରପିଟ କରୁଛନ୍ତି। ତେଣୁ ସ୍ୱାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି ଡାଲିଆ ଦାବି କରିଛନ୍ତି। ତେବେ ଏନେଇ ଡେପୁଟି କଲେକ୍ଟର ଶରତ କୁମାର ବାଗଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସମ୍ପର୍କ ସମ୍ଭବ ହୋଇନଥିଲା।