କୋରାପୁଟ,ଏନ୍ଏନ୍ଏସ୍: କୋଭିଡ-୧୯ ପରିଚାଳନା ନିମନ୍ତେ ଠିକା ଭାବେ ନିଯୁକ୍ତ ହୋଇଥିବା ଏଏନଏମ୍ ଓ ନର୍ସମାନେ ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଓ ସିଡିଏମଓ ଡାକ୍ତର ମକରନ୍ଦ ବେଉରା ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସତ୍ତେ୍ୱ ଲିଖିତ ଭାବେ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଲେ ଧାରଣାରୁ ଉଠିବେ ବୋଲି ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ କହିଛନ୍ତି। ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ପୂର୍ବତନ ସଭାପତି ବିଜୟ କୁମାର ମିଶ୍ର, ଗୌତମ ସାମନ୍ତରାୟ, ଜି.ସଞ୍ଜୀବ କୁମାର ରାଓ ଓ ବିଜୟ କୁମାର ଦଳେଇ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବିଜେପି ନେତା ଉପସ୍ଥିତ ରହି ଆନ୍ଦୋଳକୁ ସମର୍ଥନ ଜଣାଇଥିଲେ। ଯଦି ଜିଲ୍ଲା ପ୍ରଶାସନ ନିଯୁକ୍ତି ନ ଦିଅନ୍ତି ତେବେ ଆସନ୍ତା ୨ ତାରିଖରେ ଅନ୍ଦୋଳନ କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର କୋଭିଡ ପରିଚାଳନା ନିମନ୍ତେ ଓଡ଼ିଶାକୁ ୮୦୬ କୋଟି ଟଙ୍କା ଦେଇଥିବାବେଳେ ଉକ୍ତ ଅର୍ଥରୁ କୋରାପୁଟ ଜିଲ୍ଲାକୁ ମିଳିଥିବା ୨୦ରୁ ୨୫ କୋଟି ଟଙ୍କାରୁ କେତେ ଖର୍ଚ୍ଚ କରାଯାଇଛି ଜିଲ୍ଲା ପ୍ରଶାସନ ସାଧାରଣରେ ପ୍ରକାଶ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ। କୋଭିଡ ପରିଚାଳନାରେ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଜିଲ୍ଲା ସଭାପତି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ର ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ଉପରେ ନିଷ୍ପତ୍ତି ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।