ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି ଜବତ କଲା ବନ ବିଭାଗ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ମଲ୍ଲୀପଶି ବିଟ୍ ଘୁଣ୍ଟିଝରି ଗ୍ରାମ୍ୟ ଜଙ୍ଗଲରେ ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି ବନ ବିଭାଗ ଜବତ କରିଛି । ମିଳିଥିବା ରିପୋର୍ଟ ମୁତାବକ, କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡିକୁ ଜବତ କରିବାରେ ସଫଳ ହୋଇଛି । ବନ ବିଭାଗ କର୍ମଚାରୀକୁ ଦେଖି ଘଟଣାସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବାରୁ କେହି ଗିରଫ ହୋଇନଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ କହିଛନ୍ତି । ତେବେ ଏତେ ମାତ୍ରାରେ ଗଛ କାଟିବାକୁ ସକ୍ଷମ ହେବା ସହ ମାଫିଆମାନେ ଚଢ଼ଉ ଖବର ପାଇ କିପରି ଫେରାର ହେଇପାରୁଛନ୍ତି ସେନେଇ ବନ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଯଦି କାଠ ମାଫିଆଙ୍କୁ ଗିରଫ କରାନଯାଏ ତା’ହେଲେ ଆଗାମୀ ଦିନରେ ପାଟଣା ରେଞ୍ଜ ଅଞ୍ଚଳ ଗଛ ଶୂନ୍ୟ ହୋଇଯିବ ବୋଲି ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି । ଜିଲ୍ଲା ବନଖଣ୍ଡ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହିତ ଘଟଣାର ତଦନ୍ତ କରି ବନ କର୍ମଚାରୀ ଓ ମାଫିଆଙ୍କ ରହସ୍ୟକୁ ପଦାକୁ ଆଣି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।