ସୁନ୍ଦରଗଡ,ଏନ୍ଏନ୍ଏସ୍: ତଳସରା ଥାନା ଅନ୍ତର୍ଗତ ପୋଷ୍ଟ ଅଫିସପଡ଼ାରେ ଜଣେ ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ଦୀର୍ଘଦିନ ଧରି ଏକ ଯୁବକଙ୍କ ସହ ପୋଷ୍ଟ ଅଫିସ ପଡ଼ାରେ ରହୁଥିଲେ। ଯୁବକଙ୍କ ନାମ ଶ୍ରୀକାନ୍ତ ପ୍ରଧାନ। ଶ୍ରୀକାନ୍ତ ବିବାହିତ। ୨ଟି ଛୁଆର ବାପା ମଧ୍ୟ। ହେଲେ ସ୍ତ୍ରୀଙ୍କୁ ଛାଡ଼ି ନାବାଳିକାଙ୍କ ସହ ରହୁଥିଲେ। ନାବାଳିକା ଜଣକ ୪ ମାସର ଗର୍ଭବତୀ ମଧ୍ୟ ଥିଲେ। ତେବେ ହଠାତ ଆଜି ସକାଳୁ ତାଙ୍କର ବାସଭବନରୁ ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅନ୍ୟପଟେ ଶ୍ରୀକାନ୍ତ ମଧ୍ୟ ଗତକାଲି ରାତିଠାରୁ ଫେରାର ଥିବାରୁ ସେ ହିଁ ହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ। ସୁନ୍ଦରଗଡ଼ ଏସ୍ଡିପିଓ ମଧୁସିକ୍ତା ମିଶ୍ରଙ୍କ ତତ୍ତ୍ୱାବଧାନରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି କହିଛନ୍ତି ତଳସରା ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି।