ନୂଆଦିଲ୍ଲୀ, ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ବନ୍ଧକ ବିହୀନ ଋଣ ପାଇବା ପାଇଁ ରାଜ୍ୟର ସହରାଞ୍ଚଳର ୬୩, ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩,୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି। ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ପାଇଁ ଉଠା ଦୋକାନୀଙ୍କ ବନ୍ଧକ ବିହୀନ ଋଣ ବାବଦକୁ ୮.୨ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୦.୮୧ କୋଟି ଟଙ୍କା ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାର ସହରାଞ୍ଚଳର ଉଠା ଦୋକାନୀଙ୍କର ଥଇଥାନ ନିମନ୍ତେ ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଆରମ୍ଭ କରିଛନ୍ତି।
ଏହି ଯୋଜନାର ଲାଭ ପାଇବାରେ ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହରଗୁଡ଼ିକରେ ଥିବା ଉଠା ଦୋକାନୀମାନେ ମଧ୍ୟ ଏହାର ଲାଭ ପାଇଛନ୍ତି। ଏହି ଯୋଜନା ଦ୍ୱାରା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ମହାମାରୀ ସମୟରେ ସଶକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ଦେଶର ସହରଗୁଡ଼ିକରେ ଥିବା ୫୦ ଲକ୍ଷ ଉଠା ଦୋକାନୀଙ୍କ ପାଇଁ ୧ ବର୍ଷ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ବିହୀନ ଋଣର ବ୍ୟବସ୍ଥା କରାଯାଇଛି।
ଏହି ଯୋଜନା ମାଧ୍ୟମରେ ଋଣର ନିୟମିତ ପରିଶୋଧ ଉପରେ ବାର୍ଷିକ ସୁଧରେ ୭ ପ୍ରତିଶତ ରିହାତି ଦିଆଯିବ। ନିୟମିତ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଡିଜିଟାଲ କାରବାର ମାଧ୍ୟମରେ ୧୨୦୦ ଟଙ୍କା ଜମା ଖାତାକୁ ଫେରିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି। ଏହି ଯୋଜନା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଡୋର୍ ଷ୍ଟେପ୍ରେ ବ୍ୟାଙ୍କ ପହଞ୍ଚାଇବ। ସମସ୍ତ ପ୍ରକାରର ବ୍ୟାଙ୍କ୍, ମାଇକ୍ରୋ ଫାଇନାନ୍ସ ସଂସ୍ଥା ଯଥା ବେସରକାରୀ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଏସ୍ଏଚ୍ଜି ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବେ। ଆର୍ବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଋଣଦାତାଙ୍କ ଠାରୁ ସୁଧ ଆଦାୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।