ଏଥର ବିଧାନସଭା ଆଗରେ ରାଲି, ଧାରଣାରେ ଲଗାମ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଓଡ଼ିଶା ଇତିହାସରେ ବିଧାନସଭା ଅଧିବେଶନ ବେଳେ ପ୍ରଥମଥର ପାଇଁ ରାଲି, ଧାରଣା ବନ୍ଦ କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରାଲି, ଧାରଣା ଓ ରାଜନୈତିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇନଥିବା ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏହାସହ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଏଥର ଏସବୁ ନକରିବା ପାଇଁ ସିପି ଅନୁରୋଧ କରିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟସରକାରଙ୍କ କୋଭିଡ୍ ଗାଇଡ୍‌ଲାଇନ ଅନୁସାରେ ରାଜନୈତିକ କାର୍ଯ୍ୟକଳାପ, ରାଲି ଓ ଧାରଣା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ହୋଇପାରିବ ନାହିଁ। ତେଣୁ ଆମେ କୌଣସି ରାଲି, ଧାରଣା ଓ ରାଜନୈତିକ କାର୍ଯ୍ୟକ୍ରମ କରିବା ପାଇଁ କାହାରିକୁ ଅନୁମତି ଦେବୁ ନାହୁଁ। ସୂଚନା ଅନୁଯାୟୀ, ବିଧାନସଭାର ପ୍ରତି ଅଧିବେଶନରେ ବିଭିନ୍ନ ଦାବି ନେଇ ସଂଗଠନ, ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ବିକ୍ଷୋଭ କରିବା ସହ ଧାରଣା ଦେଇଥାନ୍ତି। ଏହି ସମୟରେ ବହୁତ ଗହଳି ହେବା ସହ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇଥାନ୍ତି। ଏମିତିକି ବହୁସଂଖ୍ୟାରେ ପୁଲିସ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥାନ୍ତି।

ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଲି, ଧାରଣା ଓ ରାଜନୈତିକ କାର୍ଯ୍ୟକଳାପକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ୨୯ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ରାଲି, ଧାରଣାକୁ ନେଇ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶାନାମା ଜାରି ହୋଇନାହିଁ। ଏମିତିକି ଏନେଇ କୌଣସି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳଙ୍କୁ ଅନୁମତି ମଧ୍ୟ ଦିଆଯାଇନାହିଁ।