ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଞ୍ଚଳରେ ଏବେ କାଠ ମାଫିଆ ଜୋରସୋରରେ କାମ ଚଳାଇଥିବାବେଳେ ବନବିଭାଗ କର୍ମଚାରୀଙ୍କ ନିଦ ଭାଙ୍ଗୁନି। ଦୈନନ୍ଦିନ ପାଟଣା ରେଞ୍ଜ ଅଞ୍ଚଳରୁ କାଠ ଚୋରା ଚାଲାଣ ହେଉଥିବାବେଳେ ବନବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସେମାନଙ୍କ ପାର୍ଦୁଭାବ ବଢ଼ିଯାଇଛି। କାଳେ ଧରାପଡ଼ି ଯିବେ ସେ ନେଇ ମିଛ ଚଢ଼ଉ କରି କଠ ଜବତ କରିବାର ନାଟକ କରୁଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଆଜି ବନ ବିଭାଗ ପକ୍ଷରୁ ଉଦୟପୁର ବିଟ ବିଲା ଛକ ନିକଟରେ ଏକ ନମ୍ବର ବିହୀନ ଟେମ୍ପ୍ୟୁରେ ଚଢ଼ଉ କରି ୮ ଖଣ୍ଡ ଶାଳ କାଠ ଜବତ କରିଛି। ତେବେ ଏନେଇ କାହାରିକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ଏନେଇ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି। ଦିନ ଦିପ୍ରହରରେ କାଠ ମାଫିଆମାନେ ରେଞ୍ଜ ଅଞ୍ଚଳରୁ କାଠ ଚୋରା ଚାଲାଣ କରି ଖସିଯାଉଥିବା ଅଞ୍ଚଳବାସୀଙ୍କୁ ଚକିତ କରିଛି। କେବଳ ଗାଡିକୁ ଧରି ପାଟଣା ବନବିଭାଗ କର୍ମଚାରୀ ବାହା ବାହା ନେଉଛନ୍ତି।
ପାଟଣା ରେଞ୍ଜର ସାହାରପଡା ଫରେଷ୍ଟର ଓ ଉଦୟପୁର ଫରେଷ୍ଟ ଗାର୍ଡଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ମାଫିଆମାନେ ସକ୍ରିୟ ହେଉଥିବା ସାଧାରଣରେ ଆଲୋଚନା ହେଉଛି। ପୂର୍ବରୁ ମଧ୍ୟ ପାଟଣା ରେଞ୍ଜ ଅଫିସରୁ ମାତ୍ର ଏକ କିଲୋମିଟର ଦୂରରେ ଗ୍ରାମ୍ୟ ଜଙ୍ଗଲରୁ ଗଛ କାଟି ନିଜ ନିଜ ଭିତରେ ଭାଗ ବଣ୍ଟା କରୁଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀ ଯାଇ କାଠକୁ ଜବତ କରିଥିଲେ। ଏଠାରୁ ସ୍ପଷ୍ଟ ଅନୁମେୟ ଯେ ରାଜ୍ୟ ରାଜକୋଷରୁ ମାସିକ ଲକ୍ଷାଧିକ ଟଙ୍କା ବେତନ ପାଇ ବନବିଭାଗ କର୍ମଚାରୀ କ’ଣ କରୁଛନ୍ତି। ଖାଲି ମାଟିଆ ପୋଷାକ ପିନ୍ଧି ନିଜର ଶୋଉକ ପୁରଣ କରୁଛନ୍ତି। ଜିଲ୍ଲା ବନଖଣ୍ଡ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଅସାଧୁ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।