ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ଶିକ୍ଷାନୀତି ଭାରତୀୟ ସଂସ୍କୃତି, ଶୈକ୍ଷିକ ପରମ୍ପରା, ଚିନ୍ତନ ଓ ତତ୍ତ୍ୱ ଉପରେ ଆଧାରିତ। ଏନେଇ ଜାତୀୟ ଶିକ୍ଷାନୀତିର କୁଶଳ କାର୍ଯ୍ୟାନ୍ୱୟନ ଓ ଆତ୍ମିକ ପ୍ରୟୋଗ ନିମନ୍ତେ ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି। ଆଜି ରାଜଭବନରୁ ଭିଡ଼ିଓ କନଫରେନ୍ସ ଯୋଗେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କରେ ଭାବ ବିନିମୟ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ କି, ବିଶ୍ୱ ବିଦ୍ୟାଳୟ ଓ ବିଶ୍ୱ ମାନବ ମଧ୍ୟରେ ସମନ୍ୱୟ ଓ ସଂହତି ସ୍ଥାପନ କରିବା ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟ।
ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଅନ୍ତର୍ନିହିତ ସମ୍ଭାବନା ଓ ସାମର୍ଥ୍ୟର ଚିହ୍ନଟ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର। ସମୟର ଆହ୍ୱାନ ଓ ଆବଶ୍ୟକତାକୁ ଅଙ୍ଗୀଭୂତ କରି ଜାତୀୟ ଶିକ୍ଷାନୀତି ୨୦୨୦ର ପରିକଳ୍ପନା କରାଯାଇଛି। ଭାରତର ଏକ ସକାରାତ୍ମକ ରୂପାନ୍ତରରେ ଏହା ଉତପ୍ରେରକ ଭୂମିକା ଗ୍ରହଣ କରିବ। କ୍ଷମତା ସହିତ ଆଚରଣର ମଧୁର ସମନ୍ୱୟକୁ ଶୈକ୍ଷିକ ଉତ୍କର୍ଷ ଭାବରେ ଗ୍ରହଣ କରାଯାଏ।
ନୂଆ ଜାତୀୟ ଶିକ୍ଷାନୀତି ସେହି ଦିଗରେ ଏକ ପଥୀକୃତ ପ୍ରୟାସ। ଏହାକୁ ଏକ ଜାତୀୟ ଆହ୍ୱାନ ଭାବରେ ଗ୍ରହଣ କରି ନିଜର ଅନୁଭବ ଓ ଉପଲବ୍ଧି ଆଧାରରେ କାର୍ଯ୍ୟକାରୀ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଜାତୀୟ ଶିକ୍ଷାନୀତି ୨୦୨୦ ଭାରତର ସାମଗ୍ରିକ ପ୍ରଗତି କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ଆଲୋଚନା ପରିଚାଳନା କରିଥିବା ବେଳେ ଏଥିରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ଓ ଅତିରିକ୍ତ ସଚିବ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।