ରାୟଗଡ଼ା,ଏନ୍ଏନ୍ଏସ୍: ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ଧାଲିମା ଜଙ୍ଗଲରେ। ପ୍ରେମିକାର ସମ୍ପର୍କୀୟମାନେ ପ୍ରେମିକ ମନୋରଞ୍ଜନକୁ ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ପାହାଡ ଗୁମ୍ଫାରେ ପୋତି ଦେଇଥିଲେ। ହତ୍ୟାକାଣ୍ଡର ୩ ମାସ ପରେ ଚନ୍ଦ୍ରପୁର ପୁଲିସ୍ ଆଜି ଗୁମ୍ଫା ଭିତରୁ ମନୋରଞ୍ଜନଙ୍କ ନରକଙ୍କାଳ ଉଦ୍ଧାର କରିଛି। ଏଥି ସହ ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଗୁଡାରି ଥାନା ପନକାବାଡିର ରଘୁନାଥ ଭଟ୍ଟ, ବିଷମକଟକ ଥାନା ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନା ଓ ଚନ୍ଦ୍ରପୁର ଥାନା ହନୁମନ୍ତପୁରର ଗଣେଶ୍ୱର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ରାୟଗଡା ଏସପି ଡ.ଶର୍ବଣା ବିବେକ ଏମଙ୍କ ସୂଚନା ମୁତାବକ, ବିଷମକଟକ ବ୍ଲକ୍ ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣୀକୁ କନ୍ଧମାଳ ଜିଲ୍ଲା କୋଟଗଡର ମନୋରଞ୍ଜନ ବଳିଆରସିଂ ପ୍ରେମ କରୁଥିଲେ। ଏ ସମ୍ପର୍କରେ ପ୍ରେମିକାର ପରିବାର ଲୋକେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ। କିନ୍ତୁ ମନୋରଞ୍ଜନ ବାରମ୍ବାର ଗାଁକୁ ଆସି ପ୍ରେମିକାକୁ ଦେଖା କରୁଥିଲା। ଏନେଇ ନକୁଳ ନିଜ ଜ୍ୱାଇଁ ରଘୁନାଥ ଓ ସହଯୋଗୀ ଗଣେଶ୍ୱର ସହ ମିଶି ମନୋରଞ୍ଜନଙ୍କୁ ଚନ୍ଦ୍ରପୁରରୁ ୩୦ କିମି ଦୂରରେ ଥିବା ଅନ୍ଧାଲିମା ଜଙ୍ଗଲକୁ ଡାକି ନେଇ ଶିକାରୀ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିଲେ। ପରେ ଧାରୁଆ ଅସ୍ତ୍ରରେ ଶରୀରକୁ କାଟି ଜଙ୍ଗଲର ଏକ ପାହାଡ ଗୁମ୍ଫାରେ ପୋତି ଦେଇଥିଲେ।
ଦୀର୍ଘ ଦିନ ଧରି ମନୋରଞ୍ଜନ ନିଜ ଘର କୋଟଗଡକୁ ନ ଫେରିବାରୁ ଗତ ୧୮ ତାରିଖରେ ବିଷମକଟକ ଥାନାରେ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ। ବିଷମକଟକ ଥାନା ଏସଆଇ ଏମଏସ ଶର୍ମା ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ମନୋରଞ୍ଜନ କେଉଁ ଅଞ୍ଚଳରେ ରହୁଥିଲେ, କାହା ସହ ମିଳାମିଶା କରୁଥିଲେ ସେ ନେଇ ଚିତ୍ତରଞ୍ଜନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରିଥିଲେ। ଚିତ୍ତରଞ୍ଜନ ନକୁଳଙ୍କ ଉପରେ ସନ୍ଦେହ କରୁଥିବା ନେଇ ପୁଲିସକୁ ସୂଚନା ଦେବାପରେ ବିଷମକଟକ ଏସଡିପିଓ ଆକାଶ ନାୟକଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପଚରାଉଚରା କରିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ ସୁରାକ୍ ପାଇଥିଲା। ନକୁଳଠାରୁ ସୂଚନା ପାଇ ପୁଲିସ ଜଙ୍ଗଲକୁ ଯାଇ ଗୁମ୍ଫା ଭିତରୁ ମନୋରଞ୍ଜନଙ୍କ ନରକଙ୍କାଳକୁ ଉଦ୍ଧାର କରିଛି।ଏଥିସହି ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ରାୟଗଡ଼ା ଏସପି ଡ. ଶର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।