ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଏକ ହୋଟେଲ ରୁମରୁ ଜଣେ ଯୁବ ଇଂଜିନିୟରଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ରାଜସ୍ଥାନ ବିକାନେରର ଭ୍ରମର ସିଂହ ସେଖାୱତଙ୍କ ପୁଅ ଅକ୍ଷୟରାଜ ସିଂହ ସେଖାୱତ (୨୬) ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ସୈନିକ ମାଇନିଙ୍ଗ କମ୍ପାନୀ ଅଧୀନରେ ମେକାନିକାଲ ଇଂଜିନିୟର ଭାବେ ସୁନ୍ଦରଗଡ଼ ଜିଲ୍ଲା ଏମସିଏଲର ଡୁଲୁଙ୍ଗା ଖଣିରେ କାର୍ଯ୍ୟ କରୁଥିବା ଅକ୍ଷୟ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ରହିବା ପାଇଁ ବୁକ କରାଯାଇଥିବା ହୋଟେଲ ମିଡ ଟାଉନର ରୁମ ନମ୍ବର ୪ରେ ରହୁଥିଲେ। ତେବେ ଗତ ଶନିବାର ରାତ୍ରୀ ଭୋଜନ ପରେ ସେ ରୁମରୁ ବାହାରି ନଥିବାବେଳେ କବାଟ ଭିତର ପଟୁ ବନ୍ଦ ରଖିଥିଲେ। ବହୁ ସମୟ ଧରି ଭିତର ପଟୁ ରୁମ କବାଟ ବନ୍ଦ ଥିବା ଦେଖି ହୋଟେଲ କର୍ମଚାରୀ ଏବଂ ଅକ୍ଷୟଙ୍କ ସହକର୍ମୀ କବାଟ ବାଡ଼େଇ ଅକ୍ଷୟଙ୍କୁ ଡାକିଥିଲେ। କିନ୍ତୁ ରୁମ ଭିତରୁ କୌଣସି ଉତ୍ତର ମିଳିନଥିଲା। ଫଳରେ ସେମାନେ ଏନେଇ ବେଲପାହାଡ଼ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୁମ ଖୋଲି ଦେଖିଲା ବେଳକୁ ସିଲିଂ ଫ୍ୟାନରେ ଅକ୍ଷୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା। ପରେ ପୁଲିସ ରୁମ ସିଲ କରିଥିବାବେଳେ ସୋମବାର ସକାଳୁ ସାଇଣ୍ଟିଫିକ ଦଳ ଓ ଅକ୍ଷୟଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥିସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।