ଝାରସୁଗୁଡ଼ା,୨୧ା୯/ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜିଲ୍ଲାରେ ଆଜି ସର୍ବାଧିକ ୨୦୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୯୧ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୫ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୩୬ଜଣ, ଝାରସୁଗୁଡା ବ୍ଲକରୁ ୬ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୨୬ଜଣ, ଲଇକେରା ବ୍ଲକ ଅଞ୍ଚଳରୁ ୧୧ଜଣ, କୋଲାବିରା ବ୍ଲକ ଅଞ୍ଚଳରୁ ୧୭ଜଣ ଓ କିର୍ମିରାରୁ ୧୩ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ଅନ୍ୟଜଣେ ପୂର୍ବ ଆକ୍ରାନ୍ତଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୪୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୪୦୪ଜଣ ସୁସ୍ଥ ହୋଇଛନ୍ତି ଓ ୧,୦୪୨ ଜଣଙ୍କ ଚିକିତ୍ସା ଜାରି ରହିଛି।