କରୋନା କାୟା : ଦୁଇ ଦିନରେ ବାପ, ପୁଅ ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: କରୋନା ଦିନକୁଦିନ ଦାଉ ସାଧିବାରେ ଲାଗିଛି। ବଲାଙ୍ଗିର ସହରରେ ଦୁଇ ଦିନରେ ବାପ, ପୁଅ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ସହରର ବିକ୍ରମ ଛକସ୍ଥିତ ଅମିତ ମେଡିକାଲର ମାଲିକ ଅମିତ ମିତ୍ତଲ ଓ ତାଙ୍କ ବାପା ପ୍ରଦୀପ ମିତ୍ତଲ କରୋନାରେ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଅସସ୍ଥ ଅନୁଭବ କରିବାରୁ ପୁଅ ଅମିତ କୋଭିଡ ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ିବାରୁ ସେ ବରଗଡସ୍ଥିତ ଏକ ଘରୋଇ ହସ୍ପିଟାଲରେ ପୁଣିଥରେ ଟେଷ୍ଟ କରାଇଥିଲେ । ସେଠାରେ ସେ ପଜିଟିଭ ଥିବା ଜଣା ପଡ଼ିଥିଲା । ତେବେ ଚିକିତ୍ସା ପାଇଁ ତାଙ୍କୁ ରାଉଲକେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। । ଦିନକୁଦିନ ତାଙ୍କର ଅବସ୍ଥା ବିଗିଡ଼ିବା ସହ ୧୯ ତାରିଖ ଦିନ ହୃଦଘାତରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ପୁଅର ମୃତ୍ୟୁ ଖବର ପାଇ ବାପା ପ୍ରଦୀପ ଦୁଃଖରେ ଭାଙ୍ଗି ପଡ଼ିଥିବାବେଳ ରବିବାର ରାତିରେ ସେ ମଧ୍ୟ ହୃଦଘାତରେ ପ୍ରାଣ ହରାଇଥିଲେ । ପ୍ରଦୀପ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ଗତ ଦୁଇ ଦିନରେ ବାପ, ପୁଅଙ୍କ ମୃତ୍ୟୁ ଖବର ସାରା ସହରକୁ ସ୍ତବ୍ଧ କରିଦେଇଛି ।