ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ମଧ୍ୟରେ ପାଖାପାଖି ୬ ମାସ ପରେ ତାଜ ମହଲ ଓ ଆଗ୍ରା ଫୋର୍ଟ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ତାଜ ମହଲ ଖୋଲି ଦିଆଯାଇଥିଲେ ମଧ୍ୟ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ପାଳନ କରିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଗେଟ୍ ପାଖରେ ଥର୍ମାଲ ସ୍କ୍ରିନିଂ ହେବା ପରେ ହିଁ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ଦିଆଯାଉଛି। ନୂଆ ଗାଇଡଲାଇନ ଅନୁସାରେ ତାଜ ମହଲରେ ଦିନକୁ ୫ ହଜାର ଓ ଆଗ୍ରା ଫୋର୍ଟରେ ୨୫ଶହ ପର୍ଯ୍ୟଟକଙ୍କୁ ପରିଦର୍ଶନ ପାଇଁ ଅନୁମତି ମିଳିବ। ଉଭୟ ସ୍ମାରକରେ ଟିକେଟ କାଉଣ୍ଟର ବନ୍ଦ ରହିବ। ପର୍ଯ୍ୟଟକଙ୍କୁ ଏଏସଆଇ ୱେବସାଇଟରୁ ଟିକେଟ ଅନଲାଇନ ବୁକ୍ କରିବାକୁ ପଡ଼ିବ। ସ୍ମାରକ ସ୍ଥଳୀରେ କ୍ୟୁ ଆର କୋଡକୁ ସ୍କାନ କରିବା ପରେ ହିଁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୭ଠାରୁ ତାଜ ମହଲ ବନ୍ଦ କରି ଦିଆଯାଇଥିଲା। ବନ୍ଦ ହେବାର ଦୀର୍ଘ ୧୮୮ ଦିନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ତାଜ ମହଲ ଓ ଆଗ୍ରା ଫୋର୍ଟ ଖୋଲାଯାଇଛି।